ପଦ୍ମଶ୍ରୀ ମିଲଖା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଧାବକ ପଦ୍ମଶ୍ରୀ ମିଲଖା ସିଂହଙ୍କ ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ଥିଲେ । ତାଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଶୁକ୍ରବାର ରାତି ସାଢ଼େ ୧୧ଟାରେ ଅନ୍ତିମ ନିଃଶ୍ୱାସ ନେଇଥିଲେ । ତାଙ୍କର ଅବସ୍ଥା ସନ୍ଧ୍ୟା ଠାରୁ ଖରାପ ଥିଲା ଏବଂ ଜ୍ୱର ସହିତ ଅକ୍ସିଜେନ ମଧ୍ୟ କମ ହୋଇ ଯାଇଥିଲା । ସେ ଜିଆଇଏମଇଆରର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୂଚନାଯୋଗ୍ୟ, ଗତ ରବିବାର ଦିନ ପୂର୍ବରୁ ମିଲଖା ସିଂହଙ୍କ ପତ୍ନୀ ତଥା ଭାରତୀୟ ଭଲିବଲ ଟିମର ପୂର୍ବତନ ଅଧିନାୟକ ନିର୍ମଳ କୌର(୮୫)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । 

ମିଲଖା ସିଂଗ ଗତ ମେ’ ମାସରେ କରୋନା ପଜିଟିଭ ସଂକ୍ରମିତ ହୋଇଥିଲେ । ବୁଧବାର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଆଇସିୟୁରୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା । ଗୁରୁବାର ସନ୍ଧ୍ୟା ଠାରୁ ତାଙ୍କର ଅବସ୍ଥା ସ୍ଥିର ଥିଲା । 

୪ଥର ଏସିୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜେତା ମିଲଖା ସିଂହ ୧୯୫୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିଲେ । ସେ ୧୯୬୦ରେ ଅନୁଷ୍ଠିତ ରୋମ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୪୦୦ ମିଟର ଦୌଡ଼ରେ ୪ର୍ଥ ସ୍ଥାନରେ ଥିଲେ । ସେ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ୧୯୫୯ ମସିହାରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । 

Leave a Reply

Your email address will not be published.