ଜାତୀୟ ରାଜପଥ ଯନ୍ତ୍ରଣା, ବିଜେଡ଼ିର ୪ ଘଣ୍ଟିଆ ରାସ୍ତା ଅବରୋଧ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଯନ୍ତ୍ରଣା ଦେଉଛି ୫୫ ନମ୍ବର ଜାତୀୟ ରାଜପଥ l ରାଜପଥ ସମ୍ପ୍ରସାରଣ କାମରେ ଅହେତୁକ ବିଳମ୍ବ ଯୋଗୁଁ ଲୋକେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି l ଏନଏଚ ୫୫ର ଦୂରାବସ୍ଥା ନେଇ ବିଜେଡିର ଚକଅଖ ବନ୍ଦ ଡକରା ଦିଆଯାଇଛି । ସକାଳ ୮ଟାରୁ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଢେ଼ଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ତତ୍ୱାବଧାନରେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏନ ୫୫ କଟକ- ସମ୍ବଲପୁର ଜାତୀୟ ରାଜପଥ ଢେଙ୍କାନାଳ କଲେଜ ବାଇପାସଠାରେ ଅବରୋଧ କରାଯାଇଛି । ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି l ଶତାଧିକ ଆନ୍ଦୋଳନକାରୀ ରାସ୍ତାରେ ବସି କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଉଛନ୍ତି l

ସୂଚନାଯୋଗ୍ୟଯେ, ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ରାସ୍ତା କାମ ଶେଷ ନହେବାରୁ ଜାତୀୟ ରାଜପଥ ୫୫ ଉପରେ ଯାତାୟାତ କଷ୍ଟ ସାଧ୍ୟ ହୋଇ ପଡ଼ିଛି । ରାସ୍ତା ଖରାପ ଯୋଗୁ ଅନେକ ଥର ଦୁର୍ଘଟଣା ଘଟି ବହୁ ଲୋକ ପ୍ରାଣ ହରାଉଛନ୍ତି । କେବେ କାର୍ଯ୍ୟ ସରିବ ତାର କୌଣସି ସଠିକ୍ ତଥ୍ୟ କାହା ପାଖରେ ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ଢେ଼ଙ୍କାନାଳ କଲେଜ ବାଇପାସ୍ ଛକରେ ପ୍ରତିବାଦ ସ୍ବରୂପ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଜେଡ଼ି କର୍ମକର୍ତ୍ତାମାନେ ୪ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.