ସାତସାହି କଟକ ନୃତ୍ୟୋତ୍ସଵର ୪ର୍ଥ ସନ୍ଧ୍ୟାରେ ଆସାମୀ, କଥକୀ ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ବାରା ପାରମ୍ପାରିକ ନୃତ୍ୟ ପରିବେଷଣ

କଟକ,(ନାଗରାଜ ନ୍ୟୁଜ): ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଥିବା ସାତସାହି କଟକ ନୃତ୍ୟୋତ୍ସଵର ଆଜି ୪ର୍ଥ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟ ପରିବେଷଣ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସାତସାହି କଟକ ନୃତ୍ୟୋତ୍ସବ କମିଟିର ଅଧ୍ୟକ୍ଷ, ମାନନୀୟ ମେୟର ଶ୍ରୀ ସୁବାସ ସିଂହଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନିଜର ଅଭିଭାଷଣରେ ଶ୍ରୀ ସିଂହ ବାଲିଯାତ୍ରାର ସଫଳ ଆୟୋଜନକୁ ବଖାଣି ଆଗାମୀ ଦିନରେ ସାତସାହି ନୃତ୍ୟୋତ୍ସବ ଏକ ନୂଆ ରୁପରେଖ ନେଇ ଆୟୋଜନ କରାଯିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ବରେଣ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବୋ ଟୋପୋ ଯୋଗଦେଇ ବିଶିଷ୍ଟ ଅତିଥି ମାନଙ୍କ ସହିତ ୪ର୍ଥ ସନ୍ଧ୍ୟାର ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଏହି ଉତ୍ସବର ସଫଳତା କାମନା କରି ଆବଶ୍ୟକ କ୍ଷେତ୍ରରେ ସମସ୍ତେ ସହଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଶିଷ୍ଟ ସାହିତ୍ୟିକା, ଶ୍ରୀମତୀ ରୁମଝୁମ ନାୟକ ଏହି ଉତ୍ସବରେ ଯୋଗଦେଇ କମିଟି ସହିତ ନିଜର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଦର୍ଶାଇଥିଲେ। କଟକର ପ୍ରତିଷ୍ଠିତ କଳାକାର, ସଙ୍ଗୀତକାର, ସାହିତ୍ୟିକ ମାନଙ୍କର କଟକର କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନକୁ ସେ ମନେ ପକାଇ ଏହି ଉତ୍ସବର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରି କହିଥିଲେ ଯେ ଥିଲେ ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ସୃଷ୍ଟି ହୋଇପାରିବ। ମହାନଗର ଶାନ୍ତି କମିଟି ସଭାପତି, ଶ୍ରୀ ଦେବେନ୍ଦ୍ର ସାହୁ, କଦମ ରସୁଲ କମିଟି ସଭାପତି, ରମଜ଼ାନ ଖାନ, ୧୬ନଂ ୱାର୍ଡର କର୍ପୋରେଟର, ଶ୍ରୀମତୀ ଲଷ୍ମୀପ୍ରିୟା ବେହେରା, ପ୍ରମୁଖ ସାମ୍ମାନୀତ ଅତିଥି ଭାବେ ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରତ୍ସାହିତ କରିବାର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ। କଟକରେ ଏଭଳି କାର୍ଯ୍ୟକ୍ରମ ଜରିଆରେ ଯୁବ ପ୍ରତିଭା ଅନ୍ୱେଷଣ ସହ ଆଗକୁ ଏହା ସେମାନଙ୍କୁ ପ୍ରେରଣ ଯୋଗାଇବ ବୋଲି ମଧ୍ୟ ସେମାନେ ମତ ରଖିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଶ୍ନତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଆସାମୀ କଥକ ନୃତ୍ୟ ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ପରିବେଷଣ ସହ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ପାରମ୍ପାରିକ ଢଙ୍ଗରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏସ ସି ବି ମେଡିକାଲର ନେଫ୍ରୋଲୋଜି ମୁଖ୍ୟ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କୁ ଜାତୀୟ ସେବାରତ୍ନ, ଡାକ୍ତର ରବି ନାରାୟଣ ପଣ୍ଡା, ଡାକ୍ତର ଶାଶ୍ୱତ ଶୁଭଙ୍କରଙ୍କ ସହ ସାବିତ୍ରୀ ଜନ ସେବା ସାମାଜିକ ଅନୁଷ୍ଠାନ କୁ ଓଡ଼ିଶା ସେବାରତ୍ନ,ଇଂ ସମନାଥ ପରିଡାଙ୍କୁ ଓଡ଼ିଶା ନିର୍ମାଣରତ୍ନ,ଶ୍ରୀ ବିଭୁ ପ୍ରସାଦ ନାୟକଙ୍କୁ ସାହିତ୍ୟରତ୍ନ,ଉଦ୍ୟୋଗୀ ଶ୍ରୀମତୀ ସଂଯୁକ୍ତା ପଣ୍ଡା , ଶ୍ରୀ ବିକାଶ ଚୌଧୁରୀ ଏବଂ ତୁଷାରକାନ୍ତି ନାୟକଙ୍କୁଙ ଜାତୀୟ ଶିଳ୍ପରତ୍ନ ତଥା ଶ୍ରୀ ବିଭୁତି ଭୂଷଣ ଚୌଧୁରୀଙ୍କୁ ଓଡ଼ିଶା ଆଇନରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଉଥିବା କଳାକାର ମାନଙ୍କୁ କଲରତ୍ନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ଆଜିର ସଭାକାର୍ଯ୍ୟ, କମିଟିର ସଭାପତି ରୋଟାରିଆନ,ଶ୍ରୀ ରବି ନାରାୟଣ ନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ସମ୍ପାଦକ ଶ୍ରୀ ଦିପେଶ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଲନା ଓ ସଂଯୋଜନା କରିଥିଲେ। ଶେଷରେ କମିଟିର ବରିଷ୍ଠ ସଭ୍ୟ ଶ୍ରୀ ପାର୍ଥସାରଥୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.