ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ରାଜସ୍ବ ଉପ ପ୍ରଶାସକ ଶ୍ରୀ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଉମାବଲ୍ଲଭ ରଥଙ୍କ ଦ୍ବାରା ଆଗତ ରିଟ୍ ପିଟିସନର ଶୁଣାଣି ଉପରେ ମାନ୍ୟବର ଓଡିଶା ହାଇକୋର୍ଟ ଦେଇଥିବା ଆଦେଶର ଅନୁପାଳନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉକ୍ତ ବୈଠକରେ ଆଲୋଚନା କରାଯାଇଛି ।ପୁରୀର ମଧୁର ଜଳ ଭଣ୍ତାର ଅଞ୍ଚଳରେ ବେଆଇନ ଭାବେ ଅନେକ ବେସରକାରୀ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯିବା ଦ୍ବାରା ସହରରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହେବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଦର୍ଶାଇ ଶ୍ରୀ ରଥ ୧୯୯୬ ମସିହାରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପିଟିସନ ଉପରେ ମାନ୍ୟବର ଅଦାଲତଙ୍କ ଆଦେଶର ଅନୁପାଳନ ପୂର୍ବକ ଶ୍ରୀକ୍ଷେତ୍ର କଲୋନୀ, ପିକେଆରଆଟି କଲୋନୀ ଭଳି ଅଞ୍ଚଳରେ ଖୁବଶୀଘ୍ର ସର୍ଭେକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଶ୍ରୀମନ୍ଦିର ଜମିଜମା ସଂପର୍କିତ ସମସ୍ୟା ସମାଧାନ ନିମନ୍ତେ ଆଇନ ବିଭାଗ ତତ୍ତ୍ବାବଧାନରେ ଡ୍ରାଫ୍ଟି କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ବାରା ବିଭିନ୍ନ ମାମାଲା ଗୁଡିକର ତ୍ବରିତ ସମାଧାନ ହୋଇ ପାରିବ । ସେହିଭଳି ଖାସମଲ ଅଧିନସ୍ଥ ମାମଲା ଗୁଡିକର ତ୍ବରିତ ଫଇସଲା ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published.