ଗିରଫ ହେଲେ ଏଟିଏମ ଲୁଟେରା, ୧ କୋଟିରୁ ଅଧିକ ଟଙ୍କା ଜବତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଠଗଡ଼ ଅଞ୍ଚଳରେ ଏଟିଏମ ଗାଡ଼ିରୁ ଦେଢ଼ କୋଟି ଟଙ୍କା ଲୁଟ ଘଟଣାରେ ଢେଙ୍କାନାଳ ପୁଲିସ ଲୁଟ ହୋଇଥିବା ଟଙ୍କା ସମେତ ତିନି ଜଣ ଲୁଟେର, ବନ୍ଧୁ. ମାରଣାସ୍ତ୍ର ଓ ଲୁଟରେ ବ୍ୟବହାର ହୋଇଥିବା ଗାଡ଼ିକୁ ଜବତ କରିଛି । ଆଜି ଦ୍ୱୀପହର ପ୍ରାୟ ସାଢେ ଗୋଟେ ସମୟରେ ଆଠଗଡ ଅଞ୍ଚଳର ଗୋଟେ ଏଟିଏମ ପାଇଁ ଟଙ୍କା ନେଇ ଯାଉଥିବା ସମୟରେ ଏକ ଢାବାରେ ସେମାନେ ଖାଇବା ପାଇଁ ରହିଥିଲେ। ଏହି ସମୟରେ ଚାରି ଜଣ ଲୁଟେରା ସେମାନଙ୍କୁ ଭୟଭୀତ କରି ସେମାନଙ୍କ ସେମାନଙ୍କ ଠାରୁ ଏଟିଏମ ଭ୍ୟାନ ଗାଡ଼ି ଧରି ଫେରାର ହୋଇଯାଇଥିଲେ । ସେଠାରୁ ସେମାନେ ସପ୍ତଶଯ୍ୟା ନିକଟରେ ଏକ ପେଟ୍ରୋଲ ପମ୍ପରେ ଏଟିଏମ ଗାଡ଼ିରୁ ଟଙ୍କା ଭର୍ତ୍ତି ଟ୍ରଙ୍କଟିକୁ ସେମାନଙ୍କ ଗାଡିକୁ ଆଣି ଏଟିଏମ ଗାଡ଼ିକୁ ଛାଡିଦେଇ ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ଢେଙ୍କାନାଳ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଆରମ୍ଭ କରିଥିଲେ ।

ପୋଲିସ ଚେକିଙ୍ଗ ଦେଖି ଲୁଟେରା ମାନେ ସଦର ଥାନା ନିକଟରୁ ଗାଡ଼ି ବୁଲାଇ କାମାକ୍ଷାନଗର ଆଡ଼କୁ ଯାଇଥିଲେ। ତେବେ ପୋଲିସ ସେମାନଙ୍କ ପିଛା କରିବାରୁ ସେମାନେ ଭୋଜଦେଇପୁର ଗ୍ରାମ ଶିବ ମନ୍ଦିର ନିକଟରେ ପହଞ୍ଚି ସେଠାରୁ ଫେରାର ଗାଡ଼ି ଛାଡ଼ି ଟଙ୍କା ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ପିଛା କରୁଥିବା ପୋଲିସ ଗ୍ରାମବାସୀଙ୍କ ସହିତ ମିଶି ତିନି ଜଣଙ୍କୁ କାବୁ କରିଥିଲେ । ଜଣେ ଲୁଟେରା କିଛି ଲୁଟ ଟଙ୍କା ସହିତ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ସର୍ବମୋଟ ଏକ କୋଟି ୨୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଘଟଣା ପରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଲୁଟେରା ମାନଙ୍କୁ କାବୁ କରିଥିବା ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପୁରସ୍କୁତ କରାଯିବ ବୋଲି ଆଇଜି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.