ଅପମିଶ୍ରିତ ଖାଦ୍ୟ ତିଆରି କାରଖାନା ଉପରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ): ଆଗକୁ ଆସୁଛି ଦୀପାବଳି । ଘରେ ଘରେ ଚାଲିବ ମିଠାର ଆସର । ହେଲେ ସେହି ମିଠା ପାଲଟିଛି ଜହର । ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ଲଡୁ ଓ ଅନ୍ୟାନ୍ୟ ମିଠା । କଟକ ଜଗତପୁର ଅଞ୍ଚଳରେ ଏକ ଲଡୁ ତିଆରି କାରଖାନା ଉପରେ ଅଚାନକ ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ଟିମ । ବେସନ ବଦଳରେ ମଇଦା ଓ ଖରାପ ତେଲରେ ତିଆରି ଲଡୁକୁ ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ଛଡ଼ାଯାଉଥିବା ବେଳେ ଏହା ଖାଉଟି ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବେଶ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ଆଗରୁ ସିଏମସି ଖାଦ୍ୟ ସୁରକ୍ଷା ଟିମ ଓ ସ୍ୱାସ୍ଥ୍ୟ ଅଧିକାରୀ ପୂର୍ବରୁ ବ୍ୟବସାୟୀଙ୍କୁ ତାଗିଦ କରିଥିଲେ ସୁଦ୍ଧା ସେମାନେ ଏହିପରି ଅପମିଶ୍ରିତ ମିଠା ତିଆରି କରି ବ୍ୟବସାୟ କରୁଥିବା ଯୋଗୁ ସମସ୍ତ ସାମଗ୍ରୀ ଜବତ କରାଯାଇ ଘରଟିକୁ ସିଲ କରାଯାଇଛି । ଅନ୍ୟପଟେ କଟକ ବାଦାମ ବାଡ଼ି ଅଞ୍ଚଳରେ ଥିବା କେଏଫସି ଉପରେ ମଧ୍ୟ ଅଚାନକ ଚଢ଼ାଉ କରାଯାଇ ବହୁ ଫିମ୍ପି ମରା ଖାଦ୍ୟ ଜବତ କରାଯାଇଛି ।

 

ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଓ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.