ଦରଦାମ ବୃଦ୍ଧିକୁ ନେଇ ବିଜେଡି ମହିଳା ମୋର୍ଚ୍ଚାର ରଣହୁଙ୍କାର

କଟକ, (ନାଗରାଜ ନ୍ୟୁଜ): ଡାଲି, ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ କରି ସାରିଲାଣି । ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନି । ଆଜି ଏହିସବୁ ଘଟଣାର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଥିଲା ବ୍ଲକ ମହିଳା ବିଜେଡି । ଶହଶହ ମହିଳା ଏକ ବିରାଟ ପଟୁଆରରେ ବଣୁଆ ମହାପୁରୁଷଙ୍କ ପୀଠରୁ ବାହାରି ବ୍ଲକ ସଦର ମହକୁମା କୁଆଁପାଳ ଠାରେ ପହଞ୍ଚିଥିଲା । ସେଠାରେ କେନ୍ଦ୍ର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋଦି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ।

ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିବା ପରେ ସବୁ ଭୁଲିଯାଇଛି ବୋଲି ମହିଳା ବିଜେଡି ଅଭିଯୋଗ ଆଣିଛି । ତେଲ, ଡାଲି, ଗ୍ୟାସ ଦର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି । ଏହା ଉପରେ ସରକାରଙ୍କ ଅଙ୍କୁଶ ନାହିଁ । ଏହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାସ୍ତା ଘାଟରେ ଲଢେଇ ଜାରୀ ରହିବ ବୋଲି ମହିଳା ବିଜେଡି ଚେତାବନୀ ଦେଇଥିଲା । ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ବିଡିଓ ନିହାର ରଞ୍ଜନ ମଲ୍ଲିକଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.