ମୁମ୍ବାଇରେ ଚମକିଲେ ଢେଙ୍କାନାଳର ଝିଅ ସ୍ୱପ୍ନା

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ମାୟା ନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ ସ୍ୱପ୍ନା । ଏମ ଟିଭି ପକ୍ଷରୁ ଆୟୋଜିତ ହିନ୍ଦି ରିଆଲିଟି ‘ସୋ’ ସୁପର ମଡେଲ ଅଫ ଦି ଇୟର ସିଜିନ ୨ରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ସ୍ୱପ୍ନାଙ୍କ ଏହି ସଫଳତା ପାଇଁ ସବୁଆଡୁ ଛୁଟୁଛି ପ୍ରଶଂସାର ଛୁଅ ।

ସାକାର ହୋଇଛି ସ୍ୱପ୍ନାଙ୍କ ସ୍ୱପ୍ନ । ପ୍ରଥମ ଓଡିଆ ଝିଅ ଭାବେ ସ୍ୱପ୍ନା ସୁପର ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ନିଜ ଜିଲ୍ଲାକୁ କରିଛନ୍ତି ଗୌରବାନ୍ୱିତ । ଢେଙ୍କାନାଳ ସହରର କୁଞ୍ଜକାନ୍ତ ନିକଟରେ ରହୁଥିବା ବାପା ବିଶ୍ୱଜିତ ଓ ମା ମଧୁମିତା ରାଉତରାୟଙ୍କ ଏକମାତ୍ର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ । ପିଲାଟି ଦିନରୁ ମଡେଲିଂ ଓ ଆକ୍ଟିଂ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା । ଯାହା ତାଙ୍କୁ ମାୟା ନଗରୀ ମୁମ୍ବାଇରେ ଏମ ଟିଭି ଦ୍ଵାରା ଆୟୋଜିତ ସୁପର ମଡେଲ ଅଫ ଦି ଇୟର ସିଜନ ୨ରେ ସେକେଣ୍ଡ ରନର୍ସ ଅପ ସ୍ଥାନ ଅଧିକାର କରିବାରେ ସହାୟକ ହୋଇଥିଲା । ଏହି ରିୟଲିଟି ‘ସୋ’ରେ ଦେଶର ବିଭିନ୍ନ ସ୍ଥାନରୁ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଜଜ୍‌ ଭାବରେ ସୁପର୍ ଷ୍ଟାର ଓ ମଡ଼େଲ ମଲାଇକା ଅରୋରା ଓ ବଲିଉଡ୍ ଅଭିନେତା ମିଲିନ୍ଦ ସୁମନ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତା ପାଇଁ ସ୍ୱପ୍ନା ଅନଲାଇନରେ ଗତ ଜୁଲାଇରେ ଅଡିସନ ଦେଇଥିଲେ । ପରେ ଏହାର ସୁଟିଂ ଆରମ୍ଭ ହୋଇଥିଲା । ମାତ୍ର ୧୯ ବର୍ଷ ବୟସରେ ସ୍ୱପ୍ନା ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ‘ସୋ’ ରେ ସଫଳତା ହାସଲ କରିଥିବାରୁ ନିଜକୁ ଗର୍ବିତ ଅନୁଭବ କରିଥିବା କହିଛନ୍ତି ।

ପିଲାଟି ଦିନରୁ ସ୍ୱପ୍ନା ପାଠ ପଢ଼ା ସହିତ ମଡେଲିଂ ଓ ଆକ୍ଟିଂ ପ୍ରତି ରୁଚି ରଖିଥିଲେ । ୨୦୧୫ ମସିହାରେ ସେ ପ୍ରଥମେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୧୮ ମସିହାରେ ମିଆଁମାରର ୟାଙ୍ଗୋନରେ ଅନୁଷ୍ଠିତ ମିସ ଟୁରିଜିମ ଓ କଲଚର ୟୁନିଭର୍ସରେ ତୃତୀୟ ରନର୍ସଅପରେ ସ୍ଥାନ ପାଇଥିଲେ ସ୍ୱପ୍ନା । କେବଳ ସେତିକି ନୁହଁ ସେ ମିସ୍ ଛତିଶଗଡ଼ ଉପାଧି ମଧ୍ୟ ହାସଲ କରିଛନ୍ତି। ଦୁଇବର୍ଷ ତଳେ ଅଲିଉଡ ଚଳଚ୍ଚିତ୍ର ‘ଚକୋଲେଟ୨’ ରେ ମଧ୍ୟ ଆକ୍ଟିଂ ଦୁନିଆ ଆରମ୍ଭ କରି ସାରିଛନ୍ତି । ଅନ୍ୟ ଏକ ଓଡିଆ ଚଳଚ୍ଚିତ୍ର ‘ଗୋଟେ ଥିଲା ରାଜା’ ସୁଟିଂ ସରିଥିବା ବେଳେ ରିଲିଜ ଅପେକ୍ଷାରେ ରହିଛି । ମୁମ୍ବାଇରେ ଆୟୋଜିତ ‘ସୋ’ ରେ ଜଜ୍‌ ଭୁମିକାରେ ରହିଥିବା ମଲାଇକା ଅରୋରା ଓ ମିଲିନ୍ଦ ସୁମନଙ୍କ ସାଙ୍ଗେ ଫେମସ୍ ସମ୍ବଲପୁରୀ ଗିତ ରଙ୍ଗବତୀ ଗୀତରେ ମଞ୍ଚରେ ନାଚିବାର ସୁଯୋଗ ପାଇଥିଲେ ସ୍ୱପ୍ନା । ତାହା ଏକ ନିଆରା ଅନୁଭୁତି ଥିଲା ବୋଲି କୁହନ୍ତି ସେ । ମାତ୍ର ୧୯ ବର୍ଷ ବୟସରେ ଝିଅର ଜାତୀୟ ସ୍ତରରେ ଏହି ସଫଳତା ପାଇଁ ବାପା ମା ମଧ୍ୟ ଖୁସି ଥିବା କହିଛନ୍ତି । ଆଗକୁ ଝିଅ ସ୍ୱପ୍ନା ସଫଳତାର ଶୀର୍ଷରେ ପହଞ୍ଚିବା ନେଇ ଆଶାବାଦୀ ଥିବା କହିଛନ୍ତି ତାଙ୍କ ବାପା ବିଶ୍ୱଜିତ। ଆଗକୁ ସୁଯୋଗ ମିଳିଲେ ସ୍ୱପ୍ନା ବଲିଉଡରେ କାମ କରିବା ସହ ଜଣେ ଆନ୍ତର୍ଜାତୀୟ ସ୍ତରର ମଡେଲର ହେବେ ବୋଲି ଆଶା ରଖିଛନ୍ତି ।

Leave a Reply

Your email address will not be published.