ଜିଲ୍ଲାପାଳଙ୍କ ବିଭିନ୍ନ ଯାଗା ଓ ଆଖଡାର କର୍ମକର୍ତ୍ତାଙ୍କ ସହ ଭିତ୍ତିଭୂମି ବିକାଶ ନିମନ୍ତେ ଆଲୋଚନା

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବିଭିନ୍ନ ଯାଗା ଓ ଆଖଡାର ଭିତ୍ତିଭୂମି ଉନ୍ନତିକରଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ସଂପୃକ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏଥିନିମନ୍ତେ ନୀଳାଦ୍ରୀ ବେଳାଭୂମିରେ ଯାଗା ଓ ଆଖଡାର ସଂପାଦକ ଓ ସଭାପତି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ମୁକ୍ତା ଯୋଜନା ଅଧିନରେ ବିଭିନ୍ନ ଯାଗା ଆଖଡା ଓ ବ୍ୟାୟାମଶାଳାରେ କୁସ୍ତି, ଭାରତ୍ତୋଳନ, ପାରମ୍ପରିକ ଅସ୍ତ୍ର ଚାଳନା ନିମନ୍ତେ ଭିତ୍ତିଭୂମି ଦୃଢିକରଣ ଏବଂ ଆନୁଷଙ୍ଗିକ ବିକାଶ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ସମସ୍ତ ଯାଗା ଆଖଡାକୁ କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ଖେଳ ଉପକରଣ ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ସହରରେ ନିୟମିତ ବ୍ୟବଧାନରେ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ସହଯୋଗ କରିବା ନିମନ୍ତେ କର୍ମକର୍ତ୍ତା ମାନେ ସମ୍ମତି ପ୍ରଦାନ କରିଥିଲେ ଏବଂ ଏଭଳି ପଦକ୍ଷେପ ପାଇଁ ବିଭିନ୍ନ କର୍ମକର୍ତ୍ତା ମାନେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.