ସାରସ୍ୱତ ସାହିତ୍ୟ ସାଧକ ଡା. ପଦ୍ମଲୋଚନ ମହାକୁଡ଼ଙ୍କ ପରଲୋକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବିଶିଷ୍ଟ ସାରସ୍ୱତ ସାହିତ୍ୟ ସାଧକ,କଳାକାର ଓ ଗବେଷକ ତଥା ପଦ୍ମଲୋଚନ ପାଠାଗାରର ପ୍ରାଣ ପ୍ରତିଷ୍ଠାତା ଡା. ପଦ୍ମଲୋଚନ ମହାକୁଡ଼ଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମହାକୁଡ଼ ୧୯୫୬ ମସିହା ଜାନୁୟାରୀ ୫ ତାରିଖରେ ପିତା ହାଡିବନ୍ଧୁ ମହାକୁଡ଼ ଓ ମାତା ହରପ୍ରିୟା ଦେବୀଙ୍କ ଠାରୁ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତ ଜହ୍ନିଆଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ପରେ ୧୯୮୦ ମସିହାରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ । ବିଭିନ୍ନ କଲେଜରେ ଅଧ୍ୟାପନା କରି ଶେଷରେ ବେଳାଭୂମି ମହାବିଦ୍ୟାଳୟ ଅଭଣାରୁ ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ । ସେ ଜଣେ ବିଶିଷ୍ଟ ସାହିତ୍ୟିକ ଥିବାରୁ ନିଜ ଜନ୍ମ ଦିନକୁ ମନେ ରଖିବା ପାଇଁ ଅନନ୍ତପୁର ନିକଟ ପାଖର ଠାରେ ପଦ୍ମଲୋଚନ ପାଠାଗାର ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ପ୍ରତି ବର୍ଷ ଜନ୍ମଦିନ ପାଳନ ଉପଲକ୍ଷେ ଜାନୁୟାରୀ ୫ ତାରିଖରେ ରାଜ୍ୟ ସ୍ତରୀୟ କବି ଓ କଳାକାର ମେଳାର ଆୟୋଜନ କରୁଥିଲେ ।

ଗତକାଲି ଏକ ମଞ୍ଚରେ ଭାଷଣ ଦେଉ ଦେଉ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ତାଙ୍କୁ ସୋର ମେଡିକାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଅନେକ କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଓ ନାଟକ ଲେଖିଯାଇଛନ୍ତି ଯାହା ସାହିତ୍ୟ ଓ କଳା ଜଗତ ତାଙ୍କୁ କେବେ ବି ଭୁଲିପାରିବ ନାହିଁ । ସେ ଜଣେ ବିଶିଷ୍ଟ ସାହିତ୍ୟିକ, ସାରସ୍ୱତ ସାହିତ୍ୟ ସାଧକ, ସୁବକ୍ତା, ସୁଦକ୍ଷ ମଞ୍ଚ ଅଭିନେତା ଓ ଦକ୍ଷ କଳାକାର ଓ ଗବେଷକ ଥିଲେ । ତାଙ୍କ ମୃତ୍ୟୁରେ ସାହିତ୍ୟ ଓ କଳାକାର ଜଗତରେ ଅପୂରଣୀୟ କ୍ଷତି ହୋଇଛି । ଉଭୟ ଜଗତ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି । ସୁଃସାହିତ୍ୟିକ ଓ କଳାକାର ଭାବରେ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ଥିଲା । ବହୁ ସାହିତ୍ୟ ସଭାରେ ମଞ୍ଚାସୀନ ହୋଇ ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ସାହିତ୍ୟ ଜଗତର ସ୍ରଷ୍ଟା ମାନଙ୍କୁ ଆକୃଷ୍ଟ କରିପାରୁଥିଲେ । ତାଙ୍କ ଦ୍ୱାରା ରଚିତ ନାଟକ ବିଭିନ୍ନ ଯାତ୍ରା ମଞ୍ଚରେ କଳାକାର ମାନେ ପରିବେଷଣ କରି ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାଜ୍ୟ ସ୍ତରୀୟ କିବି କଳାକାର ମେଳାର ଆୟୋଜନ କରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ କେତେ କବି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ତା’ର କଳନା ନାହିଁ । ସେ ଜଣେ ସଚ୍ଚୋଟ, ସରଳ, ନିରୀହ, ମିଷ୍ଟଭାସୀ, ପରୋପକାରୀ, ସମାଜସେବୀ, ଉଦାର ହୃଦୟବାନ୍ ଓ ବିଶିଷ୍ଟ ସାହିତ୍ୟ ସାଧକ ବ୍ୟକ୍ତି ହୋଇଥିବାରୁ ହଠାତ୍ ତାଙ୍କ ମୃତ୍ୟୁ ସାହିତ୍ୟ ସମାଜକୁ ସ୍ତବ୍ଧ କରିଦେଇଛି ।

Leave a Reply

Your email address will not be published.