ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ନୁହେଁ, ଚାଷୀ ନିର୍ଦ୍ଧାରଣ କରିବା ଉଚିତ: ପ୍ରବୀଣ ତୋଗାଡିଆ

କଟକ, (ନାଗରାଜ ନ୍ୟୁଜ): ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ନୁହେଁ, ଚାଷୀ ନିର୍ଦ୍ଧାରଣ କରିବା ଉଚିତ । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା ହେବା ଆବଶ୍ୟକ ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳର ମୁଖ୍ୟ ଡାକ୍ତର ପ୍ରବୀଣ ତୋଗାଡିଆ । କଟକ ଶତାବ୍ଦୀ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ମତ ରଖିଛନ୍ତି ତୋଗାଡିଆ । ସଙ୍ଗଠନର ଆଭିମୁଖ୍ୟ ସ୍ପଷ୍ଟ କରି ତୋଗାଡିଆ କହିଛନ୍ତି, ଭାରତରେ ହିନ୍ଦୁମାନଙ୍କ ପାଇଁ ସ୍ବଳ୍ପ ଟଙ୍କାରେ ଉନ୍ନତ ଚିକିତ୍ସା ଓ ଶିକ୍ଷା ନିଶ୍ଚିତ କରାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହାସହ ତାଙ୍କ ସଙ୍ଗଠନ ସଂଖ୍ୟା ବହୁଳ ହିନ୍ଦୁଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିବାକୁ ଯାଉଛି ବୋଲି ତୋଗାଡିଆ କହିଛନ୍ତି ।ସେହିପରି ଦରଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ସ୍ଥିତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛି । ତେଣୁ ଆସନ୍ତା ତିନି ମାସ ମଧ୍ୟରେ ସରକାର କୋଟିଏ ଲୋକଙ୍କୁ ଚାକିରୀ ଦେବା ନିହାତି ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି । ସେପଟେ ତେଲଦର ବୃଦ୍ଧିକୁ ନେଇ ମଧ୍ୟ ତୋଗାଡିଆ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଦେଶର ହିନ୍ଦୁଙ୍କ ହିତ ପାଇଁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ମହିଳା ପରିଷଦ ସବୁ ପ୍ରକାର ପ୍ରୟାସ କରିବ ବୋଲି କହିଛନ୍ତି ତୋଗାଡିଆ ।

Leave a Reply

Your email address will not be published.