କେନ୍ଦ୍ରାପଡ଼ାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

କେନ୍ଦ୍ରାପଡା : କେନ୍ଦ୍ରାପଡାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଜିଲ୍ଲାପାଳ ଅଫିସରେ ୫ ବିଧାୟକଙ୍କୁ ତାଲା ପକାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଗତକାଲି ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ଚାପୁଡା ମାଡ ପ୍ରତିବାଦରେ ସାମ୍ବାଦିକ ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଆଉ ଏହି ସମୟରେ ଜିଲ୍ଲାର ୫ ବିଧାୟକଙ୍କ ସହ ଜିଲ୍ଲାପାଳ ଆଲୋଚନା କରୁଥିବା ଜାଣିବା ପରେ ସେମାନଙ୍କୁ ଭିତର ପଟୁ ତାଲା ମାରିଥିଲେ ସାମ୍ବାଦିକ । ତେବେ ଏହି ଘଟଣା ପରେ ସାମ୍ବାଦିକ ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରାଯାଇଛି ଓ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଏହି ଘଟଣାରେ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟ ୱେବ ମିଡ଼ିଆ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଓ ସମ୍ପାଦିକା ବିଦ୍ୟୁତଳତା ମହାନ୍ତିଙ୍କ ନେତୃତ୍ୱରେ ଏକ ରାଜ୍ୟ ପ୍ରତିନିଧି ଦଳ ପୀଡିତ ସାମ୍ବାଦିକଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ। ଏପରିକି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଯଦି ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର ସହ ଗିରଫ ନ କରନ୍ତି,ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଘୋଷଣା କରିଛି ଏବଂ ଏ ନେଇ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଡିଜିଙ୍କୁ ଭେଟି ଦାବି କରାଯିବ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ଦିନ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଚାପୁଡା ମାରିଥିଲେ ମହିଳା ପୋଲିସ । ଯାହାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଚାପୁଡା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ମାଡ ଖାଇଥିବା ସାମ୍ବାଦିକଙ୍କ କହିବା ଅନୁଯାୟୀ, ବିନା ମାସ୍କରେ ବୁଲୁଥିବା ମହିଳା ପୋଲିସଙ୍କ ଫଟୋ ପୋଷ୍ଟ କରିବାରୁ ଆକ୍ରୋଶମୂଳକ ଭାବେ ତାଙ୍କୁ ମାଡ ମରାଯାଇଛି । କେବଳ ଏତିକି ନୁହେଁ ଜିଲ୍ଲାର ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ବିରୋଧରେ କୌଣସି ଖବର ପ୍ରସାରଣ କଲେ ଟାର୍ଗେଟ କରାଯାଉଛି ।

ତେଣୁ ରାଜ୍ୟ ୱେବ ମିଡ଼ିଆ ସଂଘ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତୀବ୍ର ବିରୋଧ କରୁଛି ଏବଂ ସମ୍ପୃକ୍ତ ମହିଳା ପୁଲିସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି

 

 

 

Leave a Reply

Your email address will not be published.