ରକ୍ତର ସମ୍ପର୍କ ଠାରୁ ବଡ଼ ମାନବିକତା, ପ୍ରମାଣ କଲେ ମିନତୀ

କଟକ, (ନାଗରାଜ ନ୍ୟୁଜ ): କଟକର ଜଣେ ୬୩ ବର୍ଷିୟା ମହିଳା ନିଜର ଏକ କୋଟି ଟଙ୍କାର ସଂପତ୍ତିକୁ ଜଣେ ରିକ୍ସା ଚାଳକ ନାଁରେ କରି ଦେଇଛନ୍ତି । ବର୍ଷକ ତଳେ ସ୍ୱାମୀ ଓ ଆଠ ମାସ ତଳେ ଝିଅ ଆର ପାରିକୁ ଚାଲିଯିବା ପରେ ମିନତୀ ୨୫ ବର୍ଷ ହେବ ତାଙ୍କ ପରିବାର ସହ ଜଡିତ ଥିବା ରିକ୍ସା ଚାଳକ ବୁଢା ସାମଲକୁ ସମସ୍ତ ସମ୍ପତ୍ତି ଦେବାକୁ ସ୍ଥିର କରିଥିଲେ । ବନ୍ଧୁବାନ୍ଧବ କେହି ବିପଦ ଆପଦରେ ସହଯୋଗ ନ କରିବାରୁ ବୁଢା ସାମଲ ଓ ପରିବାରକୁ ନିଜର କରିନେଲେ ମିନତୀ ।

କଟକ ସୂତାହାଟ ଖ୍ରୀଷ୍ଟିଆନ ସାହିର ଏହି ୬୩ ବର୍ଷିୟା ମହିଳାଙ୍କୁ ଦେଖନ୍ତୁ । ମାତ୍ର ଦେଢ଼ ବର୍ଷ ମଧ୍ୟରେ ନିଜ ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକ ଓ ଝିଅ କମଲକୁମାରୀ ପଟ୍ଟନାୟକ ହଠାତ ପରଲୋକକୁ ଚାଲିଯିବା ପରେ ମିନତୀ ନିଜ ଘରେ ରହି ୨୫ ବର୍ଷ ହେବ ସେବା କରୁଥିବା ଏକ ରିକ୍ସା ଚାଳକକୁ ପୁରା ଏକ କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ଦେଇ ଦେଇଛନ୍ତି । ଏହା ଶିକ୍ଷିତ ସଭ୍ୟ ସମାଜକୁ ଗପ ଭଳି ଲାଗୁଥିଲେ ସୁଦ୍ଧା ତାହା ସତ କରି ଦେଖାଇଛନ୍ତି ମିନତୀ । ମିନତୀଙ୍କ କହିବା କଥା ହେଉଛି ସ୍ୱାମୀ ଓ ଝିଅ ଚାଲିଯିବା ପରେ ତାଙ୍କର ସବୁ ଆଶା ମଉଳି ଯାଇଥିଲା । ତାଙ୍କର ଦେଖାଶୁଣା କରିବାକୁ କେହି ନ ଥିଲେ । ବନ୍ଧୁବାନ୍ଧବ କେବଳ ନାଁକୁ ମାତ୍ର । ଏଭଳି ସମୟରେ ରିକ୍ସା ଚାଳକ ବୁଢା ସାମଲ ତାଙ୍କର ଆଶ୍ରା ହୋଇ ଛିଡା ହୋଇଥିଲେ । ତାଙ୍କ ଘର ସହିତ ବୁଢା ଓ ତାର ପରିବାର ୩୦ ବର୍ଷ ହେବ ଜଡିତ ଥିଲା । ତେବେ ଏଭଳି ବିପଦ ଆସିବା ପରେ ସାହାରା ଦେଇଥିଲେ ବୁଢା ସାମଲ। ଏବେ କିଛି ମାସ ହେବ ମିନତୀ ବୁଢା ଓ ତାର ପରିବାରକୁ ଆଣି ଘରେ ରଖିବା ସହିତ ପୁରା ସମ୍ପତ୍ତି ତାଙ୍କ ନାଁ ରେ କରି ଦେଇଛନ୍ତି । ଆଗକୁ ମିନତୀଙ୍କ ସାହାରା ହୋଇ ବୁଢା ଓ ତାର ପରିବାର ଛିଡା ହେବେ ବୋଲି ଆଶା ବିଶ୍ୱାସ ସମସ୍ତଙ୍କର ଅଛି ।

Leave a Reply

Your email address will not be published.