ସିଲିଣ୍ଡରରେ ଗ୍ୟାସ ପରିବର୍ତ୍ତେ ଭର୍ତ୍ତି ହୋଇଛି ପାଣି

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ଜାଳେଣି ଗ୍ୟାସର ଦର ପାଖାପାଖି ପ୍ରାୟ ୧୦୦୦ ଟଙ୍କା । ହେଲେ ଗ୍ୟାସ ସିଲିଣ୍ଡରରେ ଗ୍ୟାସ ରହିବା ପରିବର୍ତ୍ତେ ରହିଛି ପାଣି । ଗ୍ୟାସର ବାରମ୍ବାର ଅହେତୁକ ଦର ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ପକ୍ଷେ ଜାଳେଣି ଗ୍ୟାସ କିଣି ରୋଷେଇ କରିବା କଷ୍ଟକର ହୋଇପଡିଥିବା ବେଳେ, ଗ୍ୟାସ କମ୍ପାନୀ ଏବଂ ଡିଷ୍ଟ୍ରିବୁଟର ମାନଙ୍କର ଏଭଳି ଠକେଇ ଗ୍ରାହକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତରା ବଜାରରେ । ଅନ୍ତରା ବଜାରରେ ରହୁଥିବା ରିଜାବୁଲ ମୁଲ୍ଲା ନାମକ ଜଣେ ଗ୍ରାହକ ଶ୍ରୀକ୍ଷେତ୍ରମଣି ଏଚପି ଗ୍ରାମୀଣ ବିତରକଙ୍କ ଠାରୁ ଗୋଟେ ଗ୍ୟାସ ସିଲିଣ୍ଡର ନେଇଥିଲେ । ମାତ୍ର ୩ଦିନ ରୋଷେଇ କରିବା ପରେ ହଠାତ ଗ୍ୟାସ ଜଳି ନଥିଲା । ସିଲିଣ୍ଡରରେ ପାଣି ଭର୍ତ୍ତି ଥିବାର ଜାଣିବାକୁ ପାଇ ଡିଷ୍ଟ୍ରିବୁଟରଙ୍କୁ ଜଣାଇଥିଲେ ସିଲିଣ୍ଡର ନେଇଥିବା ବ୍ୟକ୍ତି ଜଣଙ୍କ ।

ଭଦ୍ରକ ଜିଲାର ବାସୁଦେବପୁର ଠାରେ ଥିବା ଏଚପି ଗ୍ୟାସର ବିତରକ ଶ୍ରୀକ୍ଷେତ୍ରମଣି ଗ୍ରାମୀଣ ବିତରକ ପାଣି ଭର୍ତ୍ତି ସିଲିଣ୍ଡର ଗ୍ରାହକମାନଙ୍କୁ ଦେଉଛି । ଗ୍ୟାସ ସିଲିଣ୍ଡରକୁ ଚେକ ନ କରି ଏଭଳି ପାଣି ଭର୍ତ୍ତି ସିଲିଣ୍ଡର ଦେଇ ଗ୍ରାହକଙ୍କୁ ଠକୁଛନ୍ତି ବୋଲି ରିଜାବୁଲ ମୁଲ୍ଲା ଓ ମାୟାଧର ସେଠୀ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଜାଣିବା ପରେ ଡିଷ୍ଟ୍ରିବୁଟର ମାଲିକ ପାଣି ଭର୍ତ୍ତି ସିଲିଣ୍ଡର କମ୍ପାନୀରୁ ଆସୁଛି ବୋଲି କହିଥିଲେ । ଅପରପକ୍ଷେ ଗ୍ୟାସ ବିତରକ ମ୍ୟାନେଜର ଏବଂ ନିଜେ ମାଲିକ ସିଲିଣ୍ଡରରେ ପାଣି ଆସୁଥିବା ସ୍ୱୀକାର କରିଛନ୍ତି। ଯଦି ଗ୍ୟାସ ଏଜେନ୍ସି ଏହି ପ୍ରକାର ଚୋରା କାର୍ୟ୍ୟ କରୁଥାଏ ତାହେଲେ ଲକ୍ଷ ଲକ୍ଷ ଟଙ୍କା ଗ୍ରାହକ ମାନଙ୍କୁ ଠକି ରୋଜଗାର କରୁଛନ୍ତି ନିଶ୍ଚୟ । ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave a Reply

Your email address will not be published.