ଏସଟିଏଫ ପକ୍ଷରୁ ଚଢାଉ ବେଳେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଅଟକ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବରରୁ ଖଡଗପୁର ଯାଇଥିବା ୬୦ ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ ଠାରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରାଯାଇଛି । ଗଞ୍ଜେଇ ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାବେଳେ ପ୍ରାୟ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକକୁ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ହେଲପର ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଛି ।

ଏହି ରାଜପଥ ଦେଇ ନିଶାବ୍ୟବସାୟୀ ମାନେ ନିୟମିତ ବ୍ରାଉନସୁଗାର, ଗଞ୍ଜେଇ, ନକଲି ମଦ ଆଦି ଚୋରା ନିଶାସାମଗ୍ରୀ ଚାଲାଣ କରିଥାନ୍ତି । ପୋଲିସ, ଅବକାରୀ ବିଭାଗ ଜାଣତରେ ମାଫିଆମାନେ ଚୋରାବେପାର ଜାରି ରଖିଥିବାର ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଠାରୁ ଜାଣିବାକୁ ମିଳିଛି । ଖବରପାଇ ଏସଟିଏଫ ଡ଼ିଏସପି ମନୋଜ କୁମାର ରାଉତ ସଦଳବଳେ ରାଜପଥରେ ଜଗିରହି ଏହି ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଥିଲେ । ଜବତ ଟ୍ରକ ଓ ଗଞ୍ଜେଇ ବସ୍ତାକୁ ବସ୍ତା ଥାନାକୁ ଅଣାଯାଇଛି । ତହସିଲଦାର କାର୍ତ୍ତିକ ଦାସ, ଏସ୍ଡ଼ିପିଓ ଜଳନ୍ଧର ଜାଲି, ଆଇଆଇସି ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ଖବର ସଂଗ୍ରହରୁ ଜଣାପଡିଛି ।

Leave a Reply

Your email address will not be published.