ବାଘ ପାଇଁ ବାରାହା ଫାଶ ହେଲା କାଳ

କଟକ, (ନାଗରାଜ ନ୍ୟୁଜ): ଶିକାରି ଫାଶରେ ଜୀବନ ଗଲା କଲରାପତରିଆ ବାଘର । ଆଠଗଡ଼ ବନଖଣ୍ଡ ତିଗିରିଆ ଭିରୁଡା ସଂରକ୍ଷିତ ଜଙ୍ଗଲରେ ଗୋଟେ ବାଘର ମୃତ୍ୟୁ ହୋଇଛି । ୨ରୁ ୩ ବର୍ଷର ମାଈ କଲରାପତରିଆ ବାଘ ବୋଲି ସୂଚନା ଦେଇଛନ୍ତି ରେଞ୍ଜର । ବନବିଭାଗର ଅପାରଗତା ବୋଲି ମୃତ୍ୟୁ ପରେ ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆଠଗଡ଼ ବନାଞ୍ଚଳରେ ହାତୀ ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଗରୁ ବାରମ୍ବାର ହୋଇଛି । ତେବେ ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନ ହେଉଛି ବାଘର ମୃତ୍ୟୁ ପାଈଁ ଦାୟୀ କିଏ ? ୨୦୧୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ଏହି ତିଗିରିଆ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଈଥିବା ବେଳେ ତରବରିଆ ଭାବେ ତିଗିରିଆ ବନାଞ୍ଚଳ କାର୍ଯ୍ୟାଳୟ ଭିତରେ ତାକୁ ପୋଡ଼ି ଦେଇଥିଲେ ବନବିଭାଗର ଅଧିକାରୀ । ଉକ୍ତ ଅଞ୍ଚଳରେ ବାଘ ରହୁଥିବାର ଖବର ମଧ୍ୟ ବନବିଭାଗ ପାଖରେ ନାହିଁ । ଏହି ଜଙ୍ଗଲରେ ମଧ୍ୟ ଅନେକ ସ୍ଥାନରେ ଫାଶ ବସାଯାଇଥିବା ଦେଖାଯାଇଛି । ଯାହାକି ବନବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଥିବା ବେଳେ ଆଠଗଡ଼ ବନଖଣ୍ଡରେ ଏମିତି ଚାଲିଛି ବନ୍ୟପ୍ରାଣୀ ସଂରକ୍ଷଣ । ଗତକିଛି ଦିନ ତଳେ ଏହି ଫାଶରେ ପଡିଥିଲା ଏକ ହାତୀ, ଯେଉଁଥିପାଇଁ ଗୋଡରେ ବଡଧରଣର କ୍ଷତ ହୋଇଥିଲା । ଟ୍ରାଙ୍କୁଲାଇଜ କରି ହାତୀ ଚିକିତ୍ସା କରିବା ପାଇଁ ନାକେଦମ୍ ହେବାକୁ ପଡିଥିଲା ବନବିଭାଗକୁ । ହାତୀର ସ୍ୱାସ୍ଥ୍ୟ ଠିକ୍ ନ ହେଉଣୁ ପୁଣି ଫାଶରେ ପଡି ବାଘର ମୃତ୍ୟୁ । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ପାଖରେ ଏହି ବାବଦରେ କିଛି ସୂଚନା ନଥିବା ବିଭାଗୀୟ ଅଧିକାରୀମାନଙ୍କ କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ ବାଘଟିକୁ ଜଙ୍ଗଲରୁ ଉଦ୍ଧାର କରି ଆଠଗଡରେ ଶବ ବ୍ୟବଚ୍ଛେଦ କରାଯାଇ ବନଖଣ୍ଡି ନର୍ସରିଠାରେ ବାଘଟିକୁ ପୋଡି ଦିଆଯାଇଛି । ବାଘ ବଂଶ ବୃଦ୍ଧି, ହାତୀଙ୍କ ସୁରକ୍ଷା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ପୁଳାପୁଳା ଟଙ୍କା । କିନ୍ତୁ ସେହି ବାଘର ମୃତ୍ୟୁ ପରେ କି କାର୍ୟ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ଅପେକ୍ଷା ।

Leave a Reply

Your email address will not be published.