କଟକରେ ଚାଲିଛି ମା’ ଦୁର୍ଗାଙ୍କ ଭଷାଣୀ ପର୍ବ

କଟକ, (ନାଗରାଜ ନ୍ୟୁଜ): କଟକରେ ଚାଲିଛି ମା’ ଦୁର୍ଗାଙ୍କ ଭଷାଣୀ ପର୍ବ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଭଷାଣୀ ଜାରି ରହିଛି । ସହରର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ହର ପାର୍ବତୀଙ୍କ ମୂର୍ତ୍ତିକୁ ଦେବୀଗଡା ଠାରେ ବିସର୍ଜିତ କରାଯାଇଛି । ମଣ୍ଡପରୁ ମା’ ଦୁର୍ଗାଙ୍କୁ ନେଇ ପୋଲିସ କର୍ଡନ ମଧ୍ୟରେ ବିସର୍ଜିତ ସ୍ଥଳକୁ ଅଣାଯାଇଥିଲା ।

ଆଉ ସୀମିତ ସଂଖ୍ୟାରେ କର୍ମକର୍ତ୍ତାମାନେ ମେଢ ସହ ବିସର୍ଜନ ସ୍ଥାନ ଦେବୀଗଡାରେ ଆସି ପହଞ୍ଚି ଥିଲେ । ପରେ ଦେବୀଗଡାରେ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯାଇଥିଲା । ଦେବୀଗଡା ସମେତ ଅନ୍ୟ ୫ଟି ସ୍ଥାନକୁ ମିଶାଇ ଉଭୟ କାଠଯୋଡ଼ି ଏବଂ ମହାନଦୀର ବାଲିଶଯ୍ୟାରେ କୃତ୍ରିମ ପୋଖରୀ କରାଯାଇ ମୂର୍ତ୍ତି ଗୁଡିକ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ୫ ଦିନ ମଣ୍ଡପରେ ରହିବା ପରେ ଆଜି ସହରବାସୀଙ୍କ ଠାରୁ ବିଦାୟ ନେଇଛନ୍ତି ଜଗତଜନନୀ । ଦୁଇବର୍ଷ ହେବ ଦେବୀଗଡାରେ ପୁରା ଖାଁ ଖାଁ ପରିବେଶ ଲାଗି ରହିଛି । ଏହିଭଳି ଭଷାଣୀ ପର୍ବ ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ପୂଜା କମିଟିର କର୍ମକର୍ତ୍ତାମାନେ । ଆଉ ଆସନ୍ତାବର୍ଷକୁ ଯେପରି କରୋନା ମହାମାରୀ ହଟିଯାଉ ଏବଂ ପୁଣିଥରେ ପୁର୍ବ ଅବସ୍ଥା ଫେରିପାଉ ବୋଲି କହିଛନ୍ତି ପୃଜା କମିଟିର ସଦସ୍ୟ ମାନେ । ଅନ୍ୟପଟେ ଭଷାଣୀକୁ ନଜରରେ ରଖି ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published.