କଟକ ଦେବୀ ଗଡ଼ାରେ ଆଡମ୍ବର ସହ ସରିଲା ମା’ କାଳୀଙ୍କ ଭସାଣୀ ଉତ୍ସବ

କଟକ, (ନାଗରାଜ ନ୍ୟୁଜ): କଟକ ଦେବୀ ଗଡ଼ାରେ ଆଡମ୍ବର ସହ ସରିଲା ମା’ କାଳୀଙ୍କ ଭସାଣୀ ଉତ୍ସବ । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏହି ଉତ୍ସବ ପାଳନ କରାଯାଇଛି । ସିଏମସି ପକ୍ଷରୁ କରାଯାଇଥିବା ଦୁଇଟି ଅସ୍ଥାୟୀ ପୋଖରୀରେ ୭୧ଟି ମୂର୍ତ୍ତି ବିସର୍ଜନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଦେବୀ ଗଡ଼ାରେ ପୋଲିସ ଫୋର୍ସକୁ ମୁତୟନ କରାଯାଇଥିଲା । ଖୋଦ ପୋଲିସ କମିଶନର ଦେବୀ ଗଡ଼ାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ତେବେ ଚଳିତ ବର୍ଷ ଦୁଃଖ ଓ ନିରାଶ୍ରୟ ସହ ପୂଜା ସରିଥିବା ବେଳେ ଆସନ୍ତା ବର୍ଷ ଭଲ ହେଉ ବୋଲି ପୂଜା କମିଟି ସଦସ୍ୟ ଓ ସହରବାସୀ ପ୍ରାର୍ଥନା କରିଛନ୍ତି ।

 

ନା ଥିଲା ଶୋଭାଯାତ୍ରା । ନା ଥିଲା ଯାକ ଜମକ । ନା ଥିଲା ଲୋକଙ୍କ ଗହଳି । ଦୁଃଖ ଓ ନିରାଶ୍ରୟରେ ସରିଛି ମା’ କାଳୀଙ୍କ ଭସାଣୀ ଉତ୍ସବ । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ପ୍ରତିଟି ପୂଜା କମିଟିରୁ ୭ ରୁ ୮ ଜଣ ଲୋକ ଘଣ୍ଟ ବାଡ଼େଇ ଦେବୀଗଡ଼ା ଆସି ମା’ଙ୍କୁ ବିସର୍ଜନ କରିଛନ୍ତି । ସକାଳ ୭.୪୫ ରୁ ପ୍ରଥମ ମେଢ଼ ବିସର୍ଜନ ହୋଇଥିବା ବେଳେ ସମୁଦାୟ ୭୨ ଟି ମେଢ଼ ବିସର୍ଜନ ହୋଇଛି । ଏଥିପାଇଁ ଦେବୀଗଡ଼ାରେ କଟକ ମହାନଗର ନିଗମ ପକ୍ଷରୁ ଦୁଇଟି ଅସ୍ଥାୟୀ ପୋଖରୀର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତବର୍ଷ କରୋନା ଦୁଃଖ ଦେଇଥିବା ବେଳେ ଆସନ୍ତା ବର୍ଷ କରୋନା ସ୍ଥିତି ସୁଧାରି ଯାଉ ବୋଲି ମା’ ଙ୍କୁ ପ୍ରାର୍ଥନା କରିଛନ୍ତି ପୂଜା କମିଟି ସଦସ୍ୟ । ଦଶହରା ପରି କାଳୀ ପୂଜା ମଧ୍ୟ ସିଲଭର ସିଟିରେ ସେହି ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଏହାକୁ ଶୃଙ୍ଖଳିତ ପାଳନ କରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ସହରକୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଜଗିଥିବା ବେଳେ ପୋଲିସ ଅଧିକାରୀ ପୂଜା ଉପରେ କଡ଼ା ନଜର ରଖିଥିଲେ । ପୂଜା କମିଟି ଓ ସହରବାସୀଙ୍କ ପାର୍ବଣ ଋତୁରେ ବିପୁଳ ସହଯୋଗ କରିଥିବାରୁ ଏହା ସମ୍ଭବ ହୋଇ ପାରିଛି ବୋଲି ଟ୍ୱିନ ସିଟି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

Leave a Reply

Your email address will not be published.