ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥିଲା । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥିଲା । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜିତ ହୋଇଛନ୍ତି ଶ୍ରୀଜିଉ ।

ମହାପ୍ରଭୂଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ସେପଟେ ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି । ମକର ସଂକ୍ରାନ୍ତି ଅବସରରେ ଆଜି ମହାପ୍ରଭୂଙ୍କ ମକରବେଶ ବା ମକର ଚୌରାଶୀ ବେଶ ଅନୁଷ୍ଠିତ ହୋଇଛି । ସେପଟେ ମକରଚାଉଳ ଭୋଗ ମଧ୍ୟ କରାଯାଇଛି । ଅନ୍ୟପଟେ କୋଭିଡ୍ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନ ପାରି ନିରାଶା ଭାବ ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରତିଟି ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି ।

Leave a Reply

Your email address will not be published.