ମମିତା ମେହେର ହତ୍ୟାକାଣ୍ଡ: କଟକରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ

କଟକ, (ନାଗରାଜ ନ୍ୟୁଜ): କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଇଛି । ଏଥିରୁ ବାଦ ପଡିନି ସିଲଭର ସିଟି କଟକ । ସକାଳୁ ଜିଲ୍ଲା କଂଗ୍ରେସର ନେତା ଏବଂ କର୍ମୀମାନେ ଲିଙ୍କ ରୋଡ ଛକ ଠାରେ ବାଇକ ରାଲି କରିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିବା ସହ ପଥଚାରୀଙ୍କୁ ଚକଲେଟ ଦେଇ ଏହାକୁ ସମର୍ଥନ ଜଣାଇବାକୁ କହିଥିଲେ । ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏହି ରାଲି ଲିଙ୍କ ରୋଡ, ବାଦାମବାଡ଼ି ଓ ଦୋଳମୁଣ୍ଡାଇ ଆଦି ସ୍ଥାନରେ ପରିକ୍ରମା କରିଥିଲା । ସେହିପରି ନଗର କଂଗ୍ରେସ ପକ୍ଷରୁ ମଧ୍ୟ ହରତାଳ ସହ ରାଲି କରି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଥିଲେ । ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ରାଲି କଚେରୀ ଗଡ଼ାଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଆଉ ବିକ୍ଷୋଭ ପ୍ରଦର୍ଶନ ସହ ସରକାର ବିରୋଧୀ ବିଭିନ୍ନ ନାରା ଦେଇଥିଲେ ।

ସମାବେଶରେ ଯୁବ ଛାତ୍ର ଓ ମହିଳା ନେତ୍ରୀମାନେ ସାମିଲ ହୋଇଥିଲେ । ତେବେ ରାଜ୍ୟ ସରକାର ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରିବା ସହ ଘଟଣାର ସତ୍ୟାସତ୍ୟ ଉନ୍ମୋଚିତ କରନ୍ତୁ ଏବଂ ମମିତାଙ୍କୁ ନ୍ୟାୟ ଦିଅନ୍ତୁ । ନଚେତ ଏହିଭଳି ଲଢେଇ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଗତକାଲି ହାଇକୋର୍ଟ ଦେଇଥିବା ରାୟକୁ ପାଳନ କରାଯାଇଛି । କୌଣସି ସ୍ଥାନରେ ରାସ୍ତାରୋକ କିମ୍ବା ଜୋରଜବରଦସ୍ତ ବନ୍ଦ ଦେଖିବାକୁ ମିଳିନଥିଲା । ଦୋକାନବଜାର ଖୋଲା ରହିଥିଲା ଏବଂ ରାସ୍ତାରେ ଗାଡି ଚଳାଚଳ କରିଥିଲା । ସେହିପରି ବସ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲାବେଳେ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ କାଁ ଭାଁ ଖୋଲିଥିଲା । ବ୍ୟାଙ୍କ, ପେଟ୍ରୋଲ ପମ୍ପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ପ୍ରାୟ ଖୋଲା ରହିଥିଲା । ବନ୍ଦ ପାଳନକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

Leave a Reply

Your email address will not be published.