ବାରଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓମଫେଡର ଅତ୍ୟାଧୁନିକ ପ୍ଲାଣ୍ଟ ଉଦଘାଟିତ

ବାରଙ୍ଗ, (ନାଗରାଜ ନ୍ୟୁଜ): ଆଜି କଟକ ଜିଲ୍ଲାର ବାରଙ୍ଗ ବ୍ଲକ ଅନ୍ତର୍ଗତ ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏହାସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ ସ୍ୱାଦଯୁକ୍ତ କ୍ଷୀର ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଓମଫେଡ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମାନଙ୍କର ନିଜ ଅନୁଷ୍ଠାନ । ଏହାର ବିକାଶରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଅବଦାନ ରହିଛି । ଓମଫେଡ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି । ଆଜିର ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ୱାରା ଚାଷୀମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ଆମର ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ଚାଷୀ ଭାଇର ରୋଜଗାର ବଢାଇବା । ଏଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଙ୍ଗ ୟୁନିଟ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡା. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗୀକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଏନଡିଡିବିର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.