ଦରଦାମ ବୃଦ୍ଧିକୁ ବିରୋଧ, ଖଇରାରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଧାରଣା ଓ ପ୍ରତିବାଦ ସଭା ଖଇରା ବ୍ଲକ ବିଜୁ ଜନତା ଦଳ(ବିଜେଡି) ତରଫରୁ ଖଇରା ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଇରା ବ୍ଲକର ଶତାଧିକ ମହିଳା କର୍ମୀମାନେ ସାମିଲ ହୋଇ ହାତରେ ପ୍ଲା କାର୍ଡ ଧରି ବଜାର ପରିକ୍ରମା କରିବା ସହିତ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ବ୍ଲକ ବିଜେଡି ମହିଳା ସଭାପତି ରଶ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ମହଲା, ସୁଷମା ମହାପାତ୍ର, କଳ୍ପନା ନାଇକ, କୁପାରୀ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ମାର୍କୋଣା ସରପଞ୍ଚ ନୀଳାଦ୍ରି ସାହୁ, କୁମୁଦିନୀ ଆଇଚ, ପଳସା ସରପଞ୍ଚ ପଙ୍କଜିନୀ ଦାସ ମହାପାତ୍ର, କର୍ମୀ କୁମୁଦିନୀ ଆଇଚ ଓ ଜୟନ୍ତୀ ପତି ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ସରପଞ୍ଚ, ସମିତି ସଭ୍ୟା, ୱାର୍ଡ ମେମ୍ବର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଥିଲା । ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ଏ ବିଷୟରେ କୌଣସି ପଦକ୍ଷେପ ନ ନିଅନ୍ତି ରାଜ ରାସ୍ତାକୁ ଉହ୍ଲାଇବା ସହିତ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ନାରୀ ନେତ୍ରୀମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ଅତିଥିମାନେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published.