ପାଖେଇ ଆସୁଛି ପିପିଲି ଉପନିର୍ବାଚନ, ୩ ଦିନ ପରେ ମଇଦାନକୁ ଓହ୍ଲାଇବେ ରାଜନୈତିକ ଦଳ

ପିପିଲି, (ନାଗରାଜ ନ୍ୟୁଜ): ଆଉ ଅଳ୍ପ ଦିନ ପରେ ହେବ ପିପିଲି ଉପନିର୍ବାଚନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପିପିଲି ଉପନୀର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ ମଇଦାନକୁ ଓହ୍ଲାଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ତେବେ ପିପିଲି ବିଜେଡିର ଗଡ଼ ହୋଇଥିବା ବେଳେ କଡା ଟକ୍କର ଦେବାକୁ ଯାଉଛି ବିଜେପି, ରେସରେ କଂଗ୍ରେସ ମଧ୍ୟ ରହିଛି ନିଜ ଭାଗ୍ୟ ପରୀକ୍ଷା କରିବାକୁ । ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ଡେଲାଙ୍ଗ ପିପିଲି ବାସୀ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ଏବେ ତା ଉପରେ ପୁରା ରାଜ୍ୟର ନଜର ।

ତେବେ ଏହି ଉପନିର୍ବାଚନ କରୋନା କଟକଣା ମଧ୍ୟରେ ଶେଷ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସୀମିତ ପ୍ରଚାରରେ ହେବ ନିର୍ବାଚନ । ପିପିଲି ଉପନିର୍ବାଚନ ପାଇଁ ଆଉ ୩ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ ହେବାକୁ ଯାଉଛି । ପିପିଲିରେ ଗଡ ହାତେଇବା ପ୍ରଚାର ଯୋରଦାର ହେବା ନିତାହି ଆବଶ୍ୟକ ହୋଇପଡିଥିବା ବେଳେ ନିର୍ବାଚନୀ ପ୍ରଚାର ଉପରେ ରହିଛି କରୋନା କଟକଣା । ଏସବୁକୁ ଦୃଷ୍ଟିରେ ରଖି ପିପିଲି ପାଇଁ ଏଥର ସ୍ୱତନ୍ତ୍ର ରଣନୀତି ଆପଣେଇଛନ୍ତି ୩ ଦଳ ।

ପ୍ରଚାର ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା ସରିଛି । ଏଥର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି ୩ ଦଳ । ବଛା ବଛା ହେଭିୱେଟ୍ ନେତା ମନ୍ତ୍ରୀଙ୍କୁ ନେଇ ୨୦ରୁ ଆରମ୍ଭ ହେବ ପିପିଲି ଉପନିର୍ବାଚନ ପ୍ରଚାର ।

ବିଜେଡ଼ିରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ବିଜେପିରୁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ୩ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭଳି ହେଭିୱେଟ୍ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ।

ସେପଟେ ପ୍ରଚାର କ୍ଷେତ୍ରରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ କଂଗ୍ରେସରୁ ପିପିଲିରେ ପ୍ରଚାର ପାଇଁ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ସୁର ରାଉତରାୟ ଓ ନିଜେ ପିସିସି ସଭାପତି ମଇଦାନକୁ ଓହ୍ଲାଇବେ ।

Leave a Reply

Your email address will not be published.