ଜିଲ୍ଲାପାଳଙ୍କ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପେଣ୍ଠକଟାସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍, ସନ୍ତରଣ, ଆଥଲେଟିକ୍ ଆଦି ବହୁବିଧ କ୍ରୀଡା ଏବଂ ଶହେ ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଯାରି ରହିଛି । ଏହା ଦ୍ବାରା ପୁରୀ ଜିଲ୍ଲାର ଖେଳାଳି ମାନେ ଉତ୍ତମ ଭିତ୍ତିଭୂମି ପାଇପାରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥା ୱାପକ୍ସକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚର ଉଭୟ ଦଳର ଖେଳାଳିଙ୍କ ସହ ଜିଲ୍ଲାପାଳ ସୌହାର୍ଯ୍ୟପୂର୍ଣ ସାକ୍ଷାତ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ  ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ରବିଶଙ୍କର ପ୍ରତିହାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.