ଗାଙ୍ଗପୁରମାଟି ସୁରକ୍ଷା ମଞ୍ଚ ତରଫରୁ ରାସ୍ତା ଅବରୋଧ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧୀନରେ ଥିବା ତେଲିଘନା ଜିଏସ ଡବ୍ଳୁ ସିମେଣ୍ଟ କାରଖାନାର ଶ୍ରମିକ ମାରଣାନିତୀ ଏବଂ ମନମୁଖୀ କାର୍ୟ୍ୟକୁ ବିରୋଧ କରି ଗାଙ୍ଗପୁରମାଟି ସୁରକ୍ଷା ମଞ୍ଚ କୁତ୍ରା ତରଫରୁ ଆଜି କାରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ଆଜି ସକାଳ ୭ଟାରୁ ଅବରୋଧ କରାଯାଇଥିଲା । ସୁଚନା ଅନୁଯାୟୀ ଏହି କାରଖାନାରେ ପୂର୍ବରୁ ଏହି ଅଞ୍ଚଳର ଅନେକ ଶ୍ରମିକ ଏଠାରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଶତକଡା ୯୦ ଭାଗ ଶ୍ରମିକ ବର୍ତ୍ତମାନ ଅବସର ନେଇ ସାରିଲେଣି । ବାକି ଶ୍ରମିକଙ୍କୁ କମ୍ପାନୀ ଯେତିକି ଦରମା ଦେଉଛି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଥିବାର ଶ୍ରମିକମାନେ କହିଛନ୍ତି । ଅବସର ନେଇଥିବା ଶ୍ରମିକଙ୍କ ଖାଲି ସ୍ଥାନରେ କମ୍ପାନୀ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟରୁ ଶ୍ରମିକ ଆଣି ନିଯୁକ୍ତି ଦେଉଛି । ପୂର୍ବରୁ ଥିବା ଶିବା ସିମେଣ୍ଟ- ବର୍ତ୍ତମାନର ଜିଏସ ଡବ୍ଳୁ ଅଧିକ ଉତ୍ପାଦନ କ୍ଷମତା ବଢ଼ାଇବା ସହିତ ଅଞ୍ଚଳର ବେକାରୀ ଶିଳ୍ପ ତାଲିମ ପ୍ରାପ୍ତ ଶିକ୍ଷିତ ଯୁବକଯୁବତୀଙ୍କ ରୋଜଗାର ଯୋଗାଇବାର ମିଥ୍ୟା ପ୍ରତିଶୃତି ଦେଇ କମ୍ପାନୀ ନିଜର ସମ୍ପ୍ରସାରଣ ବୃଦ୍ଧି କରିଚାଲିଛି । କମ୍ପାନୀର ଛଳନା ସ୍ଥାନୀୟ ଅଞ୍ଚଳର ଲୋକମାନେ ଜାଣି ପାରି ଆଜି ରାସ୍ତା ଅବରୋଧ କରିଥିଲେ । ଏହି କାରଖାନାରେ ସାଧାରଣରୁ ଅତି ସାଧାରଣ କାର୍ୟ୍ୟ ପାଇଁ ବାହାର ରାଜ୍ୟରୁ ଶ୍ରମିକ ଆଣି ଏଠାରେ ନିଯୁକ୍ତି ଦେଇ ଚାଲିଥିବାବେଳେ, ସ୍ଥାନୀୟ ଲୋକମାନଙ୍କୁ ଅଣଦେଖା କରାଯାଉଛି ।

 

 

ଯାହା ଅଞ୍ଚଳର ଲୋକଙ୍କ ପାଇଁ ଅପମାନିତ ଏବଂ ଦୁର୍ଭାଗ୍ୟର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି । କରୋନା ମହାମାରୀ ସମୟରେ ସରକାରଙ୍କ ଗାଇଡଲାଇନ ଅନୁସାରେ ବାହାର ରାଜ୍ୟରୁ ଶ୍ରମିକ ଆଣିବାକୁ ମନା କରାଯାଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ନିୟମକୁ ବେଖାତିର କରି ବିହାର ଓ ଝାଡ଼ଖଣ୍ଡ ରାଜ୍ୟରୁ ଶ୍ରମିକ ଆଣି ଏଠାରେ ନିଯୁକ୍ତି ଦେଇଥିଲେ । ଯାହାଫଳରେ ଅଞ୍ଚବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପକ୍ଷରେ କମ୍ପାନୀର ପରିବହନ ଏବଂ ଗମନାଗମନ ପାଇଁ ନିଜସ୍ଵ ରାସ୍ତା ନଥିବାବେଳେ ପଞ୍ଚାୟତ ରାସ୍ତା କବଜ୍ଜାରେ ରଖି ପରିବହନ କାର୍ୟ୍ୟ କରାଯାଉଛି । ବହୁ ଆଦିବାସୀ ଓ ହରିଜନ ଲୋକଙ୍କ ଜମି ନେଇ କ୍ଷତିପୂରଣ ମଧ୍ୟ ଆଜି ପର୍ୟ୍ୟନ୍ତ ଦେଇନାହିଁ । ଏସବୁକୁ ବିରୋଧ କରି ଆଜି ଗାଙ୍ଗପୁରମାଟି ସୁରକ୍ଷା ମଞ୍ଚ କୁତ୍ରା ତରଫରୁ କାରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରିଥିଲେ । ପରେ ସ୍ଥାନୀୟ ପୋଲିସ ପ୍ରଶାସନ, ସ୍ଥାନୀୟ ତହସିଲଦାର, ଜିଏସ ଡବ୍ଳୁର ଏଚଆର ମୁଖ୍ୟ ଅମରଦୀପ ମହାନ୍ତି, ଭିମ ଜେନା, ଗାଙ୍ଗପୁରର ସୁରକ୍ଷା ମଞ୍ଚର ଆଗୁଷ୍ଟିନ ମିଞ୍ଜ, ଅର୍ଜୁନ ଜୟପୁରିଆ, ହେମନ୍ତ ଏକ୍କା, ନୁୟେଲ କାଣ୍ଡୁଲାନା, ରଞ୍ଜିତ ତିର୍କି ଓ ପିତାମ୍ବର ଜୟପୁରିଆ ଆସି ଆଲୋଚନା କରିଥିଲେ । ବିସ୍ଥାପିତଙ୍କୁ ଅତି ଶିଘ୍ର ଉଚିତ କ୍ଷତିପୂରଣ ଦେବା ସହିତ ସ୍ଥାନୀୟ ଯୁବକଯୁବତୀ ମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave a Reply

Your email address will not be published.