ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ସମ୍ବିଧାନର ୪ର୍ଥ ସ୍ତମ୍ଭ ସାମ୍ବାଦିକ ଆଜି ଅସୁରକ୍ଷିତ । ସାରାଦେଶରେ ଦୈନିକ କେଉଁଠି ନା କେଉଁଠି ସାମ୍ବାଦିକ ଉପରେ ଚାଲିଛି ହତ୍ୟା ଆଉ ଆକ୍ରମଣ । ଜାଗ୍ରତ ପ୍ରହରୀ ସାଜି ସର୍ବଦା ଜନସାଧାରଣଙ୍କ ସେବାରେ ଲାଗିଥାଏ ସାମ୍ବାଦିକ । ସେ ସର୍ବଦା ସତ୍ୟ ଓ ନିର୍ଭୀକ ଖବର ସଂଗ୍ରହକରି ପ୍ରକାଶ କରିଥାଏ, ଯାହା ମାଫିଆ, ଦଲାଲ ଓ ଅସାଧୁ ବ୍ଯକ୍ତିଙ୍କ ପାଇଁ କାଳ ହୋଇଥାଏ । ଯାହା ସତ୍ୟ ତାହା ଲୋକଲୋଚନକୁ ଆଣିବା ଜଣେ ସତ୍ଯ ଓ ନିର୍ଭୀକ ସାମ୍ବାଦିକର କର୍ତ୍ତବ୍ୟ ।

ଅସାଧୁ ବ୍ଯକ୍ତିଙ୍କ ସ୍ବାର୍ଥରେ ବାଧା ସୃଷ୍ଟି ହେବା କାରଣରୁ ସାମ୍ବାଦିକମାନେ ହତ୍ଯା ଓ ମାରାଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି । କେହି କେହି ପ୍ରାଣ ମଧ୍ୟ ହରାଉଛନ୍ତି । ନିକଟରେ ଖଣିମାଫିଆଙ୍କ ଦ୍ବାରା ବାଲେଶ୍ବର ଜିଲ୍ଲାରେ ଜଣେ ସାମ୍ବାଦିକ ମାରାଣାତ୍ମକ ଆକ୍ରମଣରେ ଶିକାର ମଧ୍ୟ ହେଇଥିଲେ । ତେଣୁ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅସାଧୁ ମାନଙ୍କ ଆକ୍ରମଣ ବଢିବଢି ଚାଲୁଥିବାରୁ ୪ର୍ଥ ସ୍ତମ୍ଭ ଆଜି ଅସୁରକ୍ଷିତ ହୋଇପଡିଛି । ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ସରକାର ସାମ୍ବାଦିକ ସୁରକ୍ଷା ଆଇନ୍ ନିଜନିଜ ରାଜ୍ୟରେ ଲାଗୁକରି ସାରିଲେଣି ।

ଏପରି ସ୍ଥଳେ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଜରୁରୀ ହୋଇପଡିଛି ଓଡିଶା ରାଜ୍ୟରେ । ଏଥିପାଇଁ ମାନ୍ଯବର ଓଡିଶା ସରକାର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରନ୍ତୁ ବୋଲି ଦାବି କରିଛନ୍ତି କାର୍ଯ୍ଯରତ ଗଣମାଧ୍ୟମ ପ୍ରତିନିଧିମାନେ । ସେହି ପରିପ୍ରେକ୍ଷୀରେ ଆଜି ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ବର ଶାଖା ତରଫରୁ ମାନ୍ଯବର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସଙ୍ଘର ବାଲେଶ୍ବର ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଶିରିଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ପ୍ରଧାନ, ଶରତ କୁମାର ବାରିକ,ପ୍ରଭାସ କୁମାର ଦାସ,ସନ୍ତୃ ନାୟକ ଓ ଉମାକାନ୍ତ ସେଠୀ ପ୍ରମୁଖ ସଭ୍ଯମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ କାର୍ଯ୍ଯାଳୟର ଭେଟି ପ୍ରଦାନ କରିଛନ୍ତି । ତେଣୁ ଓଡିଶା ସରକାରଙ୍କୁ ଅନୁରୋଧ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ଦୃଷ୍ଟି ଦେଲେ ପ୍ରତ୍ଯେକ ଗଣମାଧ୍ୟମ ପ୍ରତିନିଧିମାନେ ସୁରକ୍ଷିତ ରହିପାରିବେ ।

Leave a Reply

Your email address will not be published.