ଡିଏଫଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ନୂତନ ଭାବେ ଯୋଗଦେଇଥିବା ଡିଏଫଓ ସୁରେଶ ଚନ୍ଦ୍ର ସେଠିଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟ ମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ବିଭାଗୀୟ ମୁନସୀ ଚପରାଶିମାନଙ୍କ ତିନି ମାସର ଦରମା ପ୍ରଦାନ ଓ ବନ୍ଧେଇ ରଚେଇ କାର୍ୟ୍ୟରେ ନିୟୋଜିତ ଚେକରମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତି କମରେ ଦଶ ମାସର ଦରମା ପ୍ରଦାନ, ସର୍କଲ ଚେକରମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥାରେ ଗୁଚ୍ଛା କଟା, ପତ୍ର ତୋଳା ଓ ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ ଚେକରମାନଙ୍କ ଚାକିରୀ ସ୍ଥାୟୀ କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ କର୍ମଚାରୀଙ୍କ ବୋନସ ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକମାନଙ୍କ ଉତ୍ତରାଧିକାରୀଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି, ଦରମା, ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି, ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା ଓ ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଆଲୋଚନାରେ ସଂଘର ସଭାପତି ନିରଞ୍ଜନ ବିଶି, ଉପ ସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ୍, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ, ଯଦୁମଣି ଭୋଇ, ତ୍ରିନାଥ ସାହୁ, ରଘୁନାଥ ମଲ୍ଲିକ, ପଞ୍ଚାନନ ଧରୁଆ ଓ ମାଣିକ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ନୀତିନିୟମ ଅନୁସାରେ ଶ୍ରମିକ କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସେଠି ପ୍ରକାଶ କରିଥିଲେ ବୋଲି ସଂଘ ପାଖରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.