ଆଗକୁ ଆସୁଛି ଦଶହରା, ମୁର୍ତ୍ତି ଉଚତାକୁ ନେଇ ଜୋର ଧରିଛି ଆନ୍ଦୋଳନ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଗକୁ ଆସୁଛି ଦଶହରା । ଦଶହରାରେ ମା ଦୁର୍ଗାଙ୍କ ମୁର୍ତ୍ତି ଉଚତାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ତାହାକୁ ବିରୋଧ କରି କଟକରେ ଆନ୍ଦୋଳନ ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି । ସହରର ବିଭିନ୍ନ ସାମାଜିକ ସଂଗଠନ ଆଜିଠାରୁ ଆମରଣ ଅନଶନକୁ ଓହ୍ଳାଇଛି । ଅପରପଟେ ନଗର କଂଗ୍ରେସ ଏହି ଦାବୀକୁ ନେଇ କରିଛି ମୌନ ଧାରଣା । ଯେପର୍ଯ୍ୟନ୍ତ ଏହି ଦାବୀ ପୂରଣ ନହୋଇଛି ସେହି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ମା ଦୁର୍ଗାଙ୍କ ୪ ଫୁଟ ମୁର୍ତ୍ତି ଉଚତାକୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ସହର ରେ ଜୋର୍ ଧରୁଛି । ମାଙ୍କ ପୂର୍ଣ୍ଣ ଅବୟବ ମୁର୍ତ୍ତି ତିଆରି କରିବା ପାଇଁ ଅନୁମତି ଦେବାକୁ ଦାବୀ କରି ପୂର୍ବରୁ ୧୪ଦିନ ଧରି ଆନ୍ଦୋଳନ ଚଳାଇଥିବା ସହରର ବିଭିନ୍ନ ସାମାଜିକ ସଂଗଠନ ଆଜିଠାରୁ ଆରମ୍ଭ କରିଛି ଆମରଣ ଅନଶନ । ମାଛୁଅ ବଜାରଠାରେ ସାମାଜିକ ଅନୁଷ୍ଠାନର କର୍ମୀମାନେ ହାତରେ ପ୍ଳା କାର୍ଡ ଧରି ଅନଶନରେ ବସିଥିବା ବେଳେ ହିନ୍ଦୁ ଜାଗରଣ ମଞ୍ଚର କର୍ମୀମାନେ ଏହି ଦାବୀକୁ ନେଇ ଜିଲ୍ଳାପାଳଙ୍କ କାର୍ୟ୍ୟାଳୟ ନିକଟରେ ଅନଶନରେ ବସିଥିଲେ । ସରକାର ଏହାକୁ ପୁନର୍ବିଚାର କରି ପୂର୍ଣ୍ଣ ଅବୟବ ମୁର୍ତ୍ତି ତିଆରି କରିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି । ଆଉ ଯଦି ଏହି ଦାବୀକୁ ପୂରଣ କରାନଯାଏ ତାହା ହେଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ବିଭିନ୍ନ ସାମାଜିକ ସଂଗଠନ ।

ଅପରପଟେ ଏହି ଦାବୀକୁ ନେଇ ଆଜି ମୌନ ପ୍ରତିବାଦ କରିଛି କଟକ ନଗର କଂଗ୍ରେସ । ପୁରୀଘାଟ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମୌନ ଧାରଣା ରେ ବସି କଂଗ୍ରେସ ର ନେତା ଓ କର୍ମୀମାନେ କଟକିଆ ଙ୍କ ଏହି ଦାବୀକୁ ପୁଣି ଥରେ ଦୋହରାଇଛନ୍ତି । ରାଜନୀତି ରୁ ଉର୍ଦ୍ଧରୁ ରହି ସରକାର ଏ ବାବଦରେ ଵିଚାର କରନ୍ତୁ ବୋଲି ଦାବୀ କରିଛି କଂଗ୍ରେସ । ବାରବାଟି କଟକ ବିଧାୟକ ମହମ୍ମଦ ମୁକିମ୍ ଏବଂ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଆନ୍ଦୋଳନ ରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି କଂଗ୍ରେସ ।

ମୁର୍ତ୍ତି ଉଚତାକୁ ନେଇ ଆନ୍ଦୋଳନ କଟକ ସହରରେ ତେଜିବାରେ ଲାଗିଥିବା ବେଳେ ଏହାକୁ ନେଇ ସରକାର ଆଜି କି ନିଷ୍ପତ୍ତି ଶୁଣାଉଛନ୍ତି ଏବେ ତାହାକୁ ହିଁ ଅପେକ୍ଷା ।

Leave a Reply

Your email address will not be published.