ଓଡିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ

କଟକ, (ନାଗରାଜ ନ୍ୟୁଜ): ଓଡିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ସମ୍ମିଳନୀ ଉଦଘାଟନ କରିଛନ୍ତି।  ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲା ଏସପି ଡିସିପିଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି । ଜାନୁଆରୀ ୧ ଯୋଗ ଦେବାକୁ ଥିବା ନବ ନିଯୁକ୍ତ ଡିଜି ସୁନୀଲ କୁମାର ଵଂଶଲ ମଧ୍ୟ ଦିଲ୍ଲୀରୁ ଭରଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବକ୍ତବ୍ୟ ରଖିବେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ମତ ରଖିବାକୁ ଯାଉଛନ୍ତି। ପ୍ରଥମ ଦିନର ସମ୍ମିଳନୀରେ ଆଇନ ଶୃଙ୍ଖଳାର ସମୀକ୍ଷା, ଅପରାଧ ଓ ତଦନ୍ତ ସମ୍ପର୍କରେ ଆଲୋଚନା ହେଉଛି ।

ସେହିଭଳି ମାଓ ମୁକାବିଲା ରଣନୀତି, ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ଓ କ୍ରାଇମ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଉଛି। ସନ୍ଧ୍ୟା ସାଢେ ୭ ଟାରୁ ୮ ଟା ପର୍ଯ୍ୟନ୍ତ ମୂଖ୍ୟ ବିଚାରପତିଙ୍କ ୩୦ ମିନିଟର ବକ୍ତବ୍ୟ ଥିବାବେଳେ ଏହି ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ମୂଖ୍ୟ ବିଚାରପତି କଣ କହୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ରହିଛି । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ପୋଲିସ ଭବନରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦବୋଧନ ରଖିବେ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ପାଇଁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଆର କେ ଶର୍ମାଙ୍କୁ ସଚିବ ଓ ଆଇ ଜି ଅପରେସନ ଅମିତାଭ ଠାକୁରଙ୍କୁ ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ଜିଲା ଏସପି, ଡ଼ିସିପି, କମାଣ୍ଡାଣ୍ଟଙ୍କ ସମେତ ଗୁଇନ୍ଦା ବିଭାଗ, ଜେଲ ବିଭାଗ, ଅଗ୍ନିଶମ ବିଭାଗ, ଭିଜିଲାନ୍ସ ଓ ରେଲୱେ ପୋଲିସର ଅଧିକାରୀ ମାନେ ଯୋଗ ଦେଇଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି, ସାଇବର ଅପରାଧ, ସଂଗଠିତ ଅପରାଧ, ନିଶା କାରବାର ସମେତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ନେଇ ଏହି ସମ୍ମିଳନୀରେ ଆଲୋଚନା ଓ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବାର ରହିଛି।ଓଡ଼ିଶା ପୋଲିସ କୁ ମିଳିଲା ପ୍ରଥମ ପୁରସ୍କାର । NCRB ପକ୍ଷରୁ ମିଳିଲା ଏହି ପୁରସ୍କାର । ଓଡିଶା CCTNS ସର୍ବ ଭାରତୀୟ ସ୍ତର ରେ ପ୍ରଥମ ସ୍ଥାନ ଅଧିକାର କଲା। ଓଡିଶା SCRB କୁ ଓ SFSL କୁ ଅଭିନନ୍ଦନ ଜଣାଇଲେ ପୋଲିସ ଡିଜି ଅଭୟ।

Leave a Reply

Your email address will not be published.