ସ୍ମୃତି ଖୋଜୁଛି ତାଳବଣିଆ, ୧ ଲକ୍ଷ ତାଳଗଛ ଲଗାଇବ ଭାରତ ବିକାଶ ପରିଷଦ

ପୁରୀ, (ନାଗରାଜ ନ୍ୟୁଜ): ସ୍ଥାନୀୟ ତାଳବଣିଆ ର ଶ୍ରୀ ବୃଦ୍ଧି ପାଇଁ ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ଅଣ୍ଟା ଭିଡିଛି । ତାଳବଣିଆ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମହାପ୍ରଭୁଙ୍କ ଶ୍ରୀ ଦାରୁ ବିଶ୍ରାମ ଘର କୁହନ୍ତୁ କି ମହାପ୍ରଭୁଙ୍କ ଚାରମାଳ କୁହନ୍ତୁ ସବୁର ପ୍ରାଥମିକତା ଏହି ତାଳ ଗଛ ଓ ତାହାର ବରଡା। ଆଜି କାଲି ତାଳପତ୍ର ଅଭାବରୁ ଭକ୍ତ ମାନେ ପଲିଥିନ ଜରିରେ ଶ୍ରୀ ମହାପ୍ରସାଦ ନେବାକୁ ବାଧ୍ୟ ହେଉଛନ୍ତି। ଫଳରେ ମହାପ୍ରସାଦ ପ୍ରତି ବେଳେ ବେଳେ ଭ୍ରମ ମଧ୍ୟ ସୃଷ୍ଟି ହେଉଛି। କେବଳ ଏତିକି ନୁହେଁ ତାଳଗଛ ଲୋପ ପାଇଯିବା ଫଳରେ ଏହି ଗଛରେ ବସବାସ କରୁଥିବା ବାଇ ଚଢେଇ, ଚିଲ, ଶାଗୁଣା ଆଦି ଙ୍କ ଅନୁପସ୍ଥିତି ପରିବେଶ ସୁରକ୍ଷାରେ ଏକ ଅନ୍ତରାୟ ସୃଷ୍ଟି ହେଉଛି। ବେଳାଭୂମି ସୁରକ୍ଷା ପାଇଁ ତାଳଗଛ ର ଉପଯୋଗିତା ଅଛି। ପୁରୀ ସହରରେ ତାଳପତ୍ର ଉପରେ ନିର୍ଭର କରି ୪୦ ଘରର ପ୍ରାୟ ୭୫ ପରିବାରଙ୍କ ଜୀବନ ଜୀବିକା ପ୍ରାୟତଃ ବିପନ୍ନ ହୋଇପଡ଼ିଛି । ଫନୀ ବାତ୍ୟା ଓ କରୋନା ମହାମାରୀ ରେ କଷାଘାତରେ ଏହି ୭୫ ପରିବାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।ଏଭଳି ଏକ ସମ୍ବେଦନଶୀଳ ଅଭିଯାନ କୁ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଓ ଆବାହକ ଶ୍ରୀ ସନ୍ତୋଷ ମହାନ୍ତି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥ ଶର୍ମା ଓ ପୌର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ ସ୍ବାଇଁ ଯୋଗଦେଇ ଭାରତ ବିକାଶ ପରିଷଦ ଦ୍ବାରା ଏକ ଲକ୍ଷ ତାଳ ଗଛ ଲଗାଇବା ଅଭିଯାନକୁ ସାକାର ରୁପ ଦେବାପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଭାରତ ବିକାଶ ପରିଷଦ ପୂର୍ଵକ୍ଷେତ୍ର ମହାସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଆମ ଇତିହାସ ର ତାଳପତ୍ର ପୋଥି ଠାରୁ ଜନ୍ମ ଜାତକ ପର୍ଯ୍ୟନ୍ତ ତାଳପତ୍ରର ବ୍ୟବହାର ସମ୍ପର୍କ ରେ କହି ଏହି ପରମ୍ପରା କ୍ଷେତ୍ରରେ ଭାରତ ବିକାଶ ପରିଷଦ ର ଅଭିଯାନ କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆଶା କରିଥିଲେ। ପରିଷଦର ଏକ ପ୍ରତନିଧି ଦଳ ମଧ୍ୟ ମାନନୀୟ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ ସହିତ ସାକ୍ଷାତ କରି ଐତିହାସିକ ତାଳବଣିଆ ର ଶ୍ରୀ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି। ତାଳ ପତ୍ର କୁ ନେଇ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷ ମାନେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ତାଳ ପତ୍ର ମାଧ୍ୟମ ରେ ବିଭିର୍ଣ ବ୍ୟବହାର୍ଯ୍ୟ ବସ୍ତୁ ସେଠାରେ ତିଆରି କରି ତାଳ ଗଛ ର ଆଵଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରାଇ ଥିଲେ।ପରିଷଦ ତରଫରୁ ସଚିବ ସୌମେନ୍ଦ୍ର ଦାସ, ଶରତ ଜୟସିଂହ, ଲାଲା ଅନନ୍ତ କୁମାର ସିଂହଁ, ଟି ବାନାମ୍ବର ପାତ୍ର, ପଦ୍ମନାଭ ପଣ୍ଡା, ସୁପ୍ରୀତି ରଥ, ମୀରା ମହାରଣା, ମୋନାଲିସା ପଟ୍ଟନାୟକ, ରାମ ଚନ୍ଦ୍ର ଦଳାଇ, ଜଗଦୀଶ ଆଚାର୍ଯ୍ୟ, ପୀତାମ୍ବର ମହାପାତ୍ର, ଉର୍ମିଳା ଧନୁର୍ଦ୍ଧର ମୁଦୁଲି, ବୁଦ୍ଧଦେବ ମହାପାତ୍ର, ଦେବେନ୍ଦ୍ର ରଥ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ‌।

Leave a Reply

Your email address will not be published.