ଉତ୍କଳ କନ୍ଧ ସମାଜ ଜିଲ୍ଲାସ୍ତରୀୟ ପ୍ରଗଣା ସମୂହର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ସ୍ଥାନୀୟ ଆଦିବାସୀ ଭବନ ଠାରେ ଉତ୍କଳ କନ୍ଧ ସମାଜର ଜିଲ୍ଲାସ୍ତରୀୟ ପ୍ରଗଣା ସମୂହର ଏକ କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ର କମିଟି ସଭାପତି ଚିନ୍ତାମଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କନ୍ଧ ସମାଜର ସର୍ବ ପ୍ରାଚୀନ ପ୍ରଥାଗତ ଅଧିକାର, ଭାଷା, ଦେବାଦେବୀ, ପୂଜା ପଦ୍ଧତି, ସଂସ୍କୃତି, ପ୍ରଥା ପରମ୍ପରା, ସାମାଜିକ ରୀତିନୀତି, ଡକାବାଦ୍ୟ, କନ୍ଧାନ ନୃତ୍ୟ ଗୀତ, ବାଦ୍ୟର ସୁରକ୍ଷା, ପ୍ରଚଳନ ଓ ପୁନଃ ଉଦ୍ଧାର ପାଇଁ ଆଲୋଚନା କରାଯାଇଥିଲା । କନ୍ଧ ସମାଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସଚେତନ ଏବଂ ସହଯୋଗ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ।

ସମସ୍ତ ପ୍ରଗଣାର କର୍ମକର୍ତ୍ତା ସମାଜର ଜମି, ଜଳ, ଜଙ୍ଗଲ, ଜୀବନ, ଜୀବିକା ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ କନ୍ଧ ଜାତିର ଅର୍ଥନୈତିକ ବିକାଶ, ସାମାଜିକ ଓ ରାଜନୈତିକ ବିକାଶ ପାଇଁ ଏକତା ବଦ୍ଧ ହେବାକୁ ସଭାପତି ଆହ୍ଵାନ ଦେଇଥିଲେ । କନ୍ଧ ଭାଷାକୁ ଅଧିକରୁ ଅଧିକ ବ୍ୟବହାର କରିବା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କନ୍ଧ ଜାତିର କୁଳାଚାର ରୀତିନୀତିରେ ଅର୍ଥାତ କନ୍ଧ ପ୍ରଥା ଅନୁସାରେ ଚଳ ପ୍ରଚଳ କଲେ ହିଁ କନ୍ଧ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖାଯାଇ ପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published.