ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

ପୁରୀ, (ନାଗରାଜ ନ୍ୟୁଜ): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ ହୋଇଛି। ହୋ ହଲ୍ଲା ଭିତରେ ଶେଷ ହୋଇଥିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା ସ୍ୱାସ୍ଥ୍ୟ ବିଭାଗର ଅପାରଗତା ଓ ଅବହେଳା ଏବଂ ରଥକାଠ ଯୋଗାଣ ପାଇଁ ଜଗନ୍ନାଥ ବନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବ। ସେପଟେ ସମସ୍ତ ବିଭାଗ ନିଜନିଜ ପ୍ରସ୍ତୁତି ରିପୋର୍ଟ ଆରଡିସିଙ୍କ ସମ୍ମୁଖରେ ପ୍ରଦାନ କରିଥିବା ବେଳେ ଅନ୍ୟ ବଳକା କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।
। ବୈଠକରେ ପ୍ରାୟତଃ 21ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା ସ୍ୱାସ୍ଥ୍ୟ ବିଭାଗର ଅପରାଗତା, ଅବହେଳା ଓ ଭବିଷ୍ୟତରେ ରଥକାଠକୁ ନେଇ ଜଗନ୍ନାଥ ବନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବ। ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ପୁରୀ ସିଡିଏମଓଙ୍କୁ ପ୍ରଶ୍ନବାଣରେ ଘେରିଥିଲେ ବୈଠକରେ ଉପସ୍ଥିତ ଥିବା ସେବାୟତ ଓ ବୁଦ୍ଧିଜୀବୀ। ସେହିପରି ଭବିଷ୍ୟତରେ କେତେବର୍ଷ ପାଇଁ ରଥକାଠ ମହଜୁଦ ଅଛି ଓ କେତେ କାଠ ଆବଶ୍ୟକ ସେନେଇ ଉପସ୍ଥିତ ସଭ୍ୟ ପ୍ରଶ୍ନ କରିଥିଲେ। ତେବେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ଏକ ଡାଟା ବେସ୍ ପ୍ରସ୍ତୁତ ହେଉଥିବା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୂଚନା ଦେଇଛନ୍ତି।
ସେହିପରି ରଥଯାତ୍ରା ପାଇଁ ପୁରୀ ପୌରପ୍ରଶାସନ ତାର ଆକ୍ସନ ପ୍ଲାନ ରିପୋର୍ଟ ଆରଡିସିଙ୍କ ସମ୍ମୁଖରେ ଉପସ୍ଥାପନ କରିଛି। ସହରର ଅନେକ ଡ୍ରେନ୍ ଏବେ ମୁକୁଳା ଅବସ୍ଥାରେ ରହିଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ତେବେ ପୁରୀ ବଡଦାଣ୍ଡକୁ 15ଟି ଜୋନ୍ ରେ ବିଭକ୍ତ କରାଯାଇଥିବା ବେଳେ ଉଭୟ ପାର୍ଶ୍ୱର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହେବାସହ ମେ ମାସ 15 ତାରିଖ ସୁଦ୍ଧା ଶେଷ ହେବ ବୋଲି ପୌରାଧିକାରୀ କହିଛନ୍ତି। ସେପଟେ ଜୁନ୍ ସୁଦ୍ଧା ବଡଦାଣ୍ଡକୁ ସଂଯୋଗ କରୁଥିବା ସାହି,ଗଳିକନ୍ଦିର ସଫେଇ ଶେଷ ହେବାସହ ବଡଦାଣ୍ଡର ଉଭୟ ପାର୍ଶ୍ୱ ଓ ଜନଗହଳିପୂର୍ଣ୍ନ ସ୍ଥାନ,ଶ୍ରୀମନ୍ଦିର ଚତୁର୍ପାଶ୍ୱ ସହ ଅନ୍ୟାନ୍ୟ ଜନଗହଳି ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ସେପଟେ ଆସନ୍ତା ରଥଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଲକ୍ଷାଧିକ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା,ଆଇନଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବାସହ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ବଡଦାଣ୍ଡର 5ରୁ 7ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।

ଚଳିତବର୍ଷ ରଥଯାତ୍ରା ସମୟରେ 205ରୁ 210ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ସୂଚନା ପ୍ରଦାନ ପାଇଁ ଭିଡିଓ ୱଲ୍ ସହ 35ଟି ଟିକେଟ୍ ବୁକିଂ କାଉଣ୍ଟର ଓ 6ଟି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବିଭାଗ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ ସଚିବ,ଆଇନ ସଚିବ,ବିଧାୟକ, ଦେବୋତ୍ତର କମିଶନଳ,ଏସପି, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନଙ୍କ ସମେତ ଶ୍ରୀମନ୍ଦିର ସେବାୟତ,ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.