ଓଡିଶା କ୍ରିକେଟ ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଓଡିଶା କ୍ରିକେଟ ଆସୋସିଏସନର ସାଧାରଣ ପରିଷଦ ବୈଠକ ଓଡ଼ିଶା କ୍ରିକେଟ ଆସୋସିଏସନ କନଫରେନ୍ସ ହଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ତିନି ବର୍ଷ ପାଇଁ କର୍ମ କର୍ତ୍ତା ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲା ରୁ ଆସୋସିଏସନ୍ କୁ ପ୍ରତିନିଧିତ୍ଵ କରୁଥିବା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆସନ୍ତି ତିନି ବର୍ଷ ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେହି ଭଳି ପୂର୍ବତନ ସଭାପତି ପଙ୍କଜ ଲୋଚନ ମହାନ୍ତି ଉପ ସଭାପତି, ପୂର୍ବତନ ସମ୍ପାଦକ ସଞ୍ଜୟ ବେହେରା ପୁନରାୟ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ଶ୍ରୀ ବିକାଶ ପ୍ରଧାନ କୋଷାଧ୍ୟକ୍ଷ, ଶ୍ରୀ ପ୍ରଭାତ ଭୋଳ,ଯୁଗ୍ମ ସମ୍ପାଦକ ଏବଂ ଅନୁଗୁଳ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିବା ପ୍ରତାପ ପ୍ରଧାନ ଅପେକ୍ସ କାଉନସିଲ କୁ ନିର୍ବାଚିତ ହୋଇଛନ୍ତି। ବୈଠକ ପୂର୍ବରୁ କର୍ମ କର୍ତ୍ତା ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ନିର୍ବାଚନରେ 6 ଟି ପଦବୀ ପାଇଁ ଛଅ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦିତା ନିର୍ବାଚିତ ହୋଇଥିଲେ। ଆଜି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ଶ୍ରୀ ଏମ ଏଲ ମଜୁମଦାର ବିଧିବଦ୍ଧ ଭାବରେ ନିର୍ବାଚିତ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ ।

ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସଭାପତତ୍ବରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଂପାଦକ ସଞ୍ଜୟ ବେହେରା ଏକ ସଂକ୍ଷିପ୍ତ ବିବରଣୀ ବୈଠକ ରେ ଉପସ୍ଥାପନ କରିଥିଲେ। ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଆସୋସିଏସନର ପ୍ରତ୍ୟେକ ସଦସ୍ୟ ମାନଙ୍କର ମତା ମତ ଗ୍ରହଣ କରାଯାଇ କ୍ରିକେଟର ବିକାଶ ଏବଂ ବାରବାଟି ଷ୍ଟାଡିୟମ୍ ର ଉନ୍ନତି କରଣ କରାଯିବ। ବାରବାଟି ଷ୍ଟାଡିୟମ୍ ର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇ ଏହାକୁ ବିଶ୍ବ ସ୍ତରୀୟ ଷ୍ଟାଡିୟମ୍ ରେ ପରିଣତ କରାଯିବ। ଗ୍ରାମାଞ୍ଚଳରେ କ୍ରିକେଟ ଖେଳକୁ ଅଧିକ ଗୁରୁତ୍ବ ଦିଆଯିବ। କ୍ରିକେଟର ବିକାଶ ପାଇଁ ଏକ ନୂତନ ପରିକଳ୍ପନା କରାଯାଇଛି। ଏହି ପରିକଳ୍ପନା ଖୁବ୍ ଶୀଘ୍ର ପ୍ରକାଶ କରାଯିବ। ମୁଖ୍ୟ ମନ୍ତ୍ରୀ ରାଜ୍ୟରେ କ୍ରୀଡା କୁ ଅଧିକ ଗୁରୁତ୍ବ ଦେଉଛନ୍ତି ତେଣୁ ସରକାରୀ ପ୍ରୋତ୍ସା ହନ ବଳରେ ଆମ ରାଜ୍ୟରେ କ୍ରୀଡାର ବିକାଶ ହୋଇପାରିବ। ଆସୋସିଏସନର ସଦସ୍ୟ ମାନେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ ସାଧାରଣ ପରିଷଦ ବୈଠକରେ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇ କହିଲେ ଆସୋସିଏସନ୍ ରେ କୌଣସି ଗୋଷ୍ଟି ବିବାଦକୁ ବରଦାସ୍ତ କରାଯିବ ନାହିଁ।ପ୍ରତ୍ୟେକ ସଦସ୍ୟ ମାନଙ୍କର ସମାନ ଅଧିକାର ରହିଛି ତେଣୁ ଆମେ ସମସ୍ତେ ମିଳିମିଶି ଓଡ଼ିଶା କ୍ରିକେଟ କୁ ଉପରକୁ ଉଠେଇବା।

Leave a Reply

Your email address will not be published.