ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ବଟାନିକାଲ ଗାର୍ଡେନରେ କରି ହେବ ବଣ ଭୋଜି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ପର୍ଯ୍ୟଟକମାନଙ୍କ ପାଇଁ ଖୁସିର ଖବର । ଦୀର୍ଘ ମାସର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଯୋଡ଼ି ହୋଇ ରହିଥିବା ବଟାନିକାଲ ଗାର୍ଡେନରେ ଏବେ ପର୍ଯ୍ୟଟକମାନେ ବଣ ଭୋଜି କରିପାରିବେ । ଡିସେମ୍ବର ୧ତାରିଖରୁ ବଣ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ଏଥିପାଇଁ ସମସ୍ତ କୋଭିଡ ନିୟମକୁ ପାଳନ କରାଯିବ । ପ୍ରାଣୀ ଉଦ୍ୟାନକୁ ଯୋଡ଼ି ହୋଇ ରହିଥିବା ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକମାନେ ଡିସେମ୍ବର ୧ ତାରିଖରୁ ବଣ ଭୋଜି କରିପାରିବେ । କଞ୍ଜିଆ ହ୍ରଦ କୁଳରେ ଥିବା ଏହି ଉଦ୍ୟାନଟି ଖୁବ ମନଲୋଭା । ପରିବେଶ ଜଙ୍ଗଲ ସାଙ୍ଗକୁ ବିଭିନ୍ନ ଉଦ୍ୟାନ ପର୍ଯ୍ୟଟକମାନଙ୍କୁ ଖୁବ ଆକର୍ଷିତ କରିଛି ।

ଏହି ଉଦ୍ୟାନ ଖୋଲା ଥିଲେ ମଧ୍ୟ କୋଭିଡ ଯୋଗୁ ବଣ ଭୋଜି କରିବାକୁ ବାରଣ କରାଯାଇଥିଲା । ତେବେ ଭୋଜି କରିବା ପାଇଁ ଅନୁମତି ମିଳିବା ପରେ ପର୍ଯ୍ୟଟକମାନେ ଖୁବ ଖୁସି ହୋଇଛନ୍ତି । ପର୍ଯ୍ୟଟକମାନେ ବଣଭୋଜି ସ୍ଥଳ କଟେଜ୍ ଆଦି ବୁକିଂ କରିବା ପାଇଁ ଅନଲାଇନି ଓ ଅଫଲାଇନର ସୁବିଧା କରାଯାଇଛି । ବଣ ଭୋଜି କରିବା ପାଇଁ ଛୋଟ ପିଣ୍ଡି ୫ଟି ରହିଛି । ଟିକେଟର ମୂଲ୍ୟ ୩୦୦ ଟଙ୍କା ରଖାଯାଇଛି । ବଡ଼ ପିଣ୍ଡି ୬୦ ଟି ରହିଛି । ତାର ମୂଲ୍ୟ ୫୫୦ ଟଙ୍କା ରଖାଯାଇଛି । ସେହିପରି ପିକନିକ୍ ସେଡ୍ ୮ ଟି ରହିଛି । ତାର ମୂଲ୍ୟ ୧୩୦୦ ଶହ ଟଙ୍କା ରଖାଯାଇଛି । ସ୍ଵତନ୍ତ୍ର ସେଡ୍ ୧୬ ଶହ ଟଙ୍କା ରଖାଯାଇଛି । ହଲିଡେ କଟେଜ ଓ ଏଫଆରଏଚ୍ କଟେଜ ମୂଲ୍ୟ ୨୬ ଶହ ଟଙ୍କା ରଖାଯାଇଛି । ପ୍ରବେଶ ଟିକେଟ ମୂଲ୍ୟ ଜଣଙ୍କୁ ୨୦ ଟଙ୍କା ରହିଛି । ଯାନବାହାନ ପ୍ରବେଶ ଟିକେଟର ମୂଲ୍ୟ ବାଇକ ପାଇଁ ୩୦ ଟଙ୍କା, ଚାରିଚକିଆ ପାଇଁ ୧୦୦ ଟଙ୍କା, ଥ୍ରୀ ହୁଇଲର ପାଇଁ ୫୦ ଟଙ୍କା ରଖାଯାଇଛି । କୋଭିଡ ଯୋଗୁ ବିଶେଷ କରି ପର୍ଯ୍ୟଟକମାନେ ବଣ ଭୋଜି କରିବା ପାଇଁ ବଡ଼ ପିଣ୍ଡିରେ ୩୦ ଜଣ, ଛୋଟ ପିଣ୍ଡିରେ ୨୦ଜଣଙ୍କ ପାଇଁ ଭୋଜି କରିବା ପାଇଁ ଅନୁମତି ମିଳିଛି । ଦୀର୍ଘ ମାସ ଧରି ବଟାନିକାଲ ଗାର୍ଡେନରେ ବଣ ଭୋଜି ନହେବା ଯୋଗୁଁ କର୍ତ୍ତୁପକ୍ଷ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଇଛନ୍ତି । ଏବେ ବଣ ଭୋଜି ହେଲେ ରାଜସ୍ୱ ବୃଦ୍ଧି ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Leave a Reply

Your email address will not be published.