ବିଡ଼ିଓଙ୍କ ମହାନତା

 

ପାଟଣାଗଡ଼: କରୋନା ମହାମାରୀରେ ବହୁ ଲୋକଙ୍କ ଜୀବନ ଯାଉଛି । କରୋନା ସଂକ୍ରମଣ ଭୟରେ କେହି କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ଯକ୍ତିର ପାଖ ମାଡୁ ନାହାନ୍ତି । ଏଭଳି ଘଟଣା ବହୁବାର ଗଣମାଧ୍ୟମରେ ଦେଖିବାକୁ ମିଳିଛି । କେହି ଜଣେ ପରୋପକାରୀ ବ୍ୟକ୍ତି ଆସି କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିଥିବାର ବହୁବାର ନଜରକୁ ଆସିଛି । ଏଭଳି ଏକ ଘଟଣା ମଧ୍ଯ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି  ।

ଖବର ଅନୁସାରେ କରୋନା ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା, କିନ୍ତୁ ବନ୍ଧୁ ବାନ୍ଧବ କେହି ମୃତକର ପାଖ ମାଡ଼ିନଥିଲେ । ଶେଷରେ ପାଟଣାଗଡ଼ ବିଡ଼ିଓଙ୍କ ଉଦ୍ୟମରେ ଶବ ସତ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ସଂଗ୍ରହରୁ ପ୍ରକାଶଯେ, ପାଟଣାଗଡ଼ ବ୍ଲକ ବନାଇମୁଣ୍ଡା ପଞ୍ଚାୟତ ଦଲଦଳି ଗ୍ରାମର ଜଣଙ୍କ ଘରେ ଗତ ତିନିବର୍ଷ ହେଲା ଅର୍ଜୁନ କୁମୁଡ଼ିଆ ସ୍ତ୍ରୀ ଲୁଭା କୁମୁଡ଼ିଆ ଓ ଏକ ବାର ବର୍ଷର ଝିଅକୁ ନେଇ ରହି ଆସୁଥିଲେ । ସେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବାମନଡ଼ିହି ଗ୍ରାମର ବାସିନ୍ଦା ଅଟନ୍ତି । ଗତ ଆଠଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସ୍ଥିତ ଭୀମଭୋଇ ଡାକ୍ତର ଖାନାରେ ଚିକିତ୍ସାଧୀନ ଥିଲେ । ସେ ଚିକିତ୍ସିତ ହେଉଥିବା ୱାର୍ଡ଼ରେ ଦୁଇଦିନ ମଧ୍ୟରେ ଛଅଜଣ କରୋଣା ରୋଗୀଙ୍କ ମୃତ୍ୟୁ ହେବା ଦେଖି ଭୟରେ ସୋମବାର ଦିନ ଘରକୁ ପଳାଇ ଆସିଥିଲେ । ଯାହା ଦ୍ବାରା ତାଙ୍କ ସ୍ବାସ୍ଥ୍ଯବସ୍ଥା ଆହୁରି ଗୁରୁତର ହୋଇ ତତକ୍ଷଣି ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁପରେ ଦଲଦଳି ଗ୍ରାମର ଆଶା ଅଙ୍ଗନୱାଡ଼ି କର୍ମୀ କୋଭିଡ ଦାୟିତ୍ୱରେ ଥିବା ପାଟଣାଗଡ଼ର ମନୋଜ ଅଚାର୍ଯ୍ୟଙ୍କୁ ଜଣାଇଥିଲେ । ଏହାପରେ ଖବର ପାଇ ପାଟଣାଗଡ଼ ବ୍ଲକର ବିଡ଼ିଓ ନୀଳମାଧବ ସୁନା ଓ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ବନାଇମୁଣ୍ଡା ସରପଞ୍ଚ ପବିତ୍ର ନାୟକ, ଖୁଣ୍ଟସମଳେଇ ସମିତିସଭ୍ୟ ଜୟନ୍ତ କୁମ୍ଭାରଙ୍କ ସହ ଅନ୍ୟ କର୍ମଚାରୀ ଦଲଦଳି ଗାଁରେ ପହଞ୍ଚି ଅର୍ଜୁନଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଦଲଦଳି ଗାଁ ସୀମାରେ ଥିବା ବାଞ୍ଜିପତରା ପାଖକୁ ନେଇ ଶବ ସତ୍କାର କରିଥିଲେ । ମୃତ ଅର୍ଜୁନଙ୍କ ପରିବାରର ଆର୍ଥୀକବସ୍ଥା ଏତେଟା ସ୍ବଚ୍ଛଳ ନଥିବାରୁ ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ସୁନା ଆଶ୍ୱାସନା ଦେଇଥିଲେ ।

 

       ପାଟଣା ଗଡ଼ ରୁ  ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Leave a Reply

Your email address will not be published.