ସ୍କୁଲ ଖୋଲିବା ପ୍ରସଙ୍ଗ ନେଇ ହାଇକୋର୍ଟରେ ଶୁଣାଣି, ରାଜ୍ୟ ସରକାରଙ୍କୁ ଆଇନସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ

କଟକ, (ନାଗରାଜ ନ୍ୟୁଜ): କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବା ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି କରି ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଆଇନସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଏହି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଆବେଦନକାରିଣୀ ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ସ୍କୁଲ ଖୋଲିବା ନେଇ ରୁଜୁ ହୋଇଥିଲା ଏହି ମାମଲା। ଏହି ଆବେଦନରେ ଦର୍ଶାଯାଇଥିଲା ଯେ ବାର୍, ରେଷ୍ଟୁରାଣ୍ଟ, ସପିଂ ମଲ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ କରୋନା କଟକଣା ଭିତରେ ଖୋଲା ରହିଛି ।

ଏଥିସହିତ କରୋନା ସଂକ୍ରମଣ ସ୍ଥିତିରେ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କରାଯିବା ଲାଗି ଅନୁମତି ଦିଆଯାଇଛି। କିନ୍ତୁ ସରକାର ସ୍କୁଲ ଗୁଡିକୁ ବନ୍ଦ କରି ରଖିଛନ୍ତି । ଅନ୍ୟ ସମସ୍ତ କାର୍ଯ୍ୟ କଟକଣା ଭିତରେ ଚାଲି ପାରିବ କିନ୍ତୁ ସ୍କୁଲ କାହିଁକି ବନ୍ଦ ରହିବ ତାହା ବୁଝା ପଡୁ ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ସ୍କୁଲ ବନ୍ଦ ରଖାଯିବା ଯୁକ୍ତିଯୁକ୍ତ ନୁହେଁ ।  ସ୍କୁଲ ବନ୍ଦ ରହିବା ଯୋଗୁଁ ପିଲାମାନଙ୍କ ପାଠ ପଢା ପ୍ରଭାବିତ ହେଉଛି ।  ତୁରନ୍ତ କୋଭିଡ କଟକଣା ଭିତରେ ସମସ୍ତ ସ୍କୁଲ ଖୋଲାଯାଉ ବୋଲି ଏହି ମାମଲାରେ ଆବେଦନକାରୀ ଦର୍ଶାଇଥିଲେ।  ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published.