ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ,(ନାଗରାଜ ନ୍ୟୁଜ): ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଜୀଉ ମାନଙ୍କୁ ଶ୍ରୀମନ୍ଦିର ରେ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୪୦ ମିନିଟରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ରାଷ୍ଟ୍ରପତି ଙ୍କୁ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରମୁଖ ସ୍ୱାଗତ କରିଥିଲେ। ପରେ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ।ତେବେ ବଳଗଣ୍ଡି ଛକଠାରେ ନିଜ ଗାଡି ରୁ ଓହ୍ଲାଇ ରାଷ୍ଟ୍ରପତି ଚାଲି ଚାଲି ସିଂହଦ୍ୱାର ନିକଟରେ ପହଞ୍ଚି ପ୍ରଥମେ ମୁଣ୍ଡିଆ ମାରି ପରେ ପାଦଧୋଇ ଅରୁଣ ସ୍ତମ୍ଭ କୁ ସ୍ପର୍ଶ ପ୍ରଣାମ କରି ବାଇଶି ପାହାଚ ଦେଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ। ସିଂହଦ୍ଵାର ପାଖରେ ଗଜପତି ମହାରାଜା ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଙ୍କ କୌଳିକ ପଣ୍ଡା ପୂଜାର୍ଚନା ରେ ସହଯୋଗ କରିଥିଲେ। ଦର୍ଶନ ରୁ ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ପକ୍ଷରୁ ରାଷ୍ଟ୍ରପତି ଙ୍କୁ ଶ୍ରୀଜୀଉଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା।ପରେ ସିଂହଦ୍ୱାର ଠାରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ। ଏହା ପରେ ପୁରୀ ରାଜଭବନ କୁ ରାଷ୍ଟ୍ରପତି ଗସ୍ତ କରିବା ସହ ସେଠାରେ ଗଜପତି ମହାରାଜା, ମହାରାଣୀ ଓ ରାଷ୍ଟ୍ରପତି ଙ୍କ କନ୍ୟା ଇତିଶ୍ରୀ ମୁର୍ମୁ ଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ରାଜଭବନ ରେ ରାଷ୍ଟ୍ରପତି ଙ୍କୁ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତ୍ତା ଏବଂ ବ୍ୟକ୍ତି ବିଶେଷ ସାକ୍ଷାତ ଆଲୋଚନା କରି ଶୁଭେଚ୍ଛା ଜଣାଇଥିଲେ। ଅପରାହ୍ନ ଘ ୩.୩୦ ମି ସମୟରେ ରାଷ୍ଟ୍ରପତି ରାଜଭବନ ପରିତ୍ୟାଗ କରି ତାଳବଣିଆ ରୁ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରାଯାଇ ସହର ର ବିଭିନ୍ନ ସ୍ଥାନରେ ସ୍ୱାଗତ ହୋଡିଂ ମାନ ଲଗାଯିବା ସହ ବଡଦାଣ୍ଡ ଓ ସିଂହଦ୍ଵାରର ତିନୋଟି ସ୍ଥାନରେ ପାରମ୍ପରିକ ଓଡିଶୀ, ଗୋଟିପୁଅ ଓ ସାହି ଯାତ ସାସ୍କୃତିକ କାର୍ଯ୍ୟକ୍ରମ ପରିଦର୍ଶନ କରାଯାଇଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ସେବାୟତ ମାନେ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବ ଅତିରିକ୍ତ ଡିଜି ଶ୍ରୀ ରାଧାକୃଷ୍ଣ ଶର୍ମା, ଆଇ ଜି ଶ୍ରୀ ନରସିଂହ ଭୋଳ,କେନ୍ଦ୍ରାଞ୍ଚଳ ଆରଡିସି ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଏସ ପି ଡ଼ଃ କନୱର ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published.