ପୁରୀରେ ୩ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ

ପୁରୀ, (ନାଗରାଜ ନ୍ୟୁଜ): ଓମିକ୍ରନ ଭାଇରସକୁ ନେଇ ଶ୍ରୀକ୍ଷେତ୍ରରେ ଆତଙ୍କ । ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ପୁରୀରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ ।‌ ଗତ ରବିବାର ଜିଲ୍ଲାରୁ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣ ଥିଲେ ପୁରୀ ସହରର । ଆଉ ଏହି ୧୨ ଜଣଙ୍କ ମଧ୍ୟରୁ ୩ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ‌ନୂଆବର୍ଷରେ ହଜାର ହଜାର ପର୍ଯ୍ୟଟକ ପୁରୀ ଆସିଥିଲେ ହେଁ ସେଥିମଧ୍ୟରୁ ଜଣେ ପର୍ଯ୍ୟଟକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇଜଣ ହୋଟେଲ କର୍ମଚାରୀ ମଧ୍ୟ ଏହି ନୂଆ ଭ୍ୟାରିଆଣ୍ଟର ଶିକାର ହୋଇଥିଲେ । ସମୁଦ୍ର କୂଳ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସିନାଲରୁ ଏହି ୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ପାଖାପାଖି ଅଞ୍ଚଳକୁ ଗତକାଲି ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ସେପଟେ ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଫିବର କ୍ଲିନିକ୍ ଖୋଲାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ତଥ୍ୟ ରଖାଯାଉଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ପୁରୀରେ ପୁଣି ମାସ୍କ ଚେକିଂ କୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published.