ଆଜି ହେଉଛି କୁମାର ପୂର୍ଣ୍ଣିମା, ବାଙ୍କୀ ଅଞ୍ଚଳରେ ନିଆରା ଢଙ୍ଗରେ ପୂଜା ପାଳିତ

ବାଙ୍କୀ, (ନାଗରାଜ ନ୍ୟୁଜ ): ଆଶ୍ୱିନ ମାସର ଆଜି ହେଉଛି ଶେଷଦିନ । ଏକମାସ ଧରି ଚଉରା ମୂଳେ କୁମାରୀମାନେ ଜହ୍ନିଫୁଲ ରଖି ପୂଜା କରି ଆସୁଥିବାବେଳେ ଆଜି ତାର ଶେଷ ଦିନ । ଆଜି ହେଉଛି କୁମାର ପୂର୍ଣ୍ଣିମା । କୁହାଯାଏଯେ, ପ୍ରଭୁ କାର୍ତ୍ତିକଙ୍କ ଭଳି ବର ପାଇବା ଆଶାରେ କୁମାରୀମାନେ କୁମାର ପୂର୍ଣ୍ଣିମା କରିଥାନ୍ତି । ଏହି ଦିନଟିକୁ ଅପେକ୍ଷା କରି ରହିଥାନ୍ତି କୁମାରୀମାନେ । ଆଉ ପାଳନ କରିଥାନ୍ତି କୁମାର ପୂର୍ଣ୍ଣିମା ଓଷା । ସକାଳୁ ଉଠି କୁମାରୀମାନେ ନିତ୍ୟ କର୍ମ ସାରି ନୂଆ ବସ୍ତ୍ର ପରିଧାନ କରି ଚଉରା ମୂଳେ ପୂଜାର୍ଚ୍ଚନା କରିବା ସହିତ ଆଞ୍ଜୁଳିରେ ଲିଆଖଇ ଧରି ଧର୍ମ ଦେବତାଙ୍କୁ ସମର୍ପଣ କରିଥାନ୍ତି । ମନରେ ଭଲ ସ୍ୱାମୀ ପାଇବା ଆଶାରେ କାର୍ତ୍ତିକ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ।

ଏହାପରେ ସନ୍ଧ୍ୟା ସମୟରେ ଚଉରା ମୂଳେ ଚାନ୍ଦ ପୂଜା କରିଥାନ୍ତି । ଚନ୍ଦ୍ର ଦର୍ଶନ ପରେ ଏହି ଓଷା ସମ୍ପୂର୍ଣ୍ଣ ହୋଇଥାଏ । ଯେ ପର୍ଯ୍ୟନ୍ତ କୁମାରୀମାନେ ଚନ୍ଦ୍ର ଦର୍ଶନ କରିନାହାନ୍ତି ସେ ପର୍ଯ୍ୟନ୍ତ ନିର୍ଜଳା ରହି ବ୍ରତ ପାଳନ କରିଥାନ୍ତି ବୋଲି କୁହନ୍ତି କୁମାରୀମାନେ । ବାଙ୍କୀ ଅଞ୍ଚଳରେ କିନ୍ତୁ କୁମାର ପୂର୍ଣ୍ଣିମା ପର୍ବ କିଛି ନିଆରା ଢଙ୍ଗରେ ପାଳନ ହେଉଥିବା ଦେଖିବାକୁ ମିଳିଛି । କୁମାରୀ ଝିଅମାନେ ସକାଳୁ ନିଜର ନିତ୍ୟ କର୍ମ ସାରି ନୂଆ ବସ୍ତ୍ର ପିନ୍ଧି ଗ୍ରାମରେ ଥିବା ମା’ ବୃନ୍ଦାବତୀଙ୍କ ନିକଟରେ ଏକାଠି ହୋଇ କରିଥିଲେ ପୂଜାର୍ଚ୍ଚନା । ପରେ ପରେ କୁମାରୀମାନେ ଗୀତ ବୋଲି ଖେଳିଥିଲେ କଉଡ଼ି ଖେଳ । ଆଉ ଶେଷରେ ସନ୍ଧ୍ୟାରେ ଚାନ୍ଦଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published.