ଅସହାୟ ବୃଦ୍ଧାଙ୍କୁ ନାଗରାଜ ନ୍ୟୁଜର ମହାପ୍ରଭାବରେ ସହାୟତାର ହାତ ବଢ଼ାଇଲେ ସ୍ୱେଛାସେବୀଓ ପ୍ରଶାସନ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ନାଗରାଜ ନ୍ୟୁଜର ମହାପ୍ରଭାବ । ଖବର ପ୍ରସାରଣ ପରେ ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ । ଏହାପରେ ପ୍ରଶାସନର ନିଦ ଭାଙ୍ଗିଲା । ଆଜି ବୈଜ୍ଞାନିକ ଯୁଗରେବି ଅନ୍ଧବିଶ୍ୱାସ ଯୋଗୁଁ ୨୭ ବର୍ଷ ହେବ ହନ୍ତସନ୍ତ ହେଉଥିଲେ ବୃଦ୍ଧା । ଏପରି ଘଟଣା ଘଟିଛି ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁରେ । ସୂଚନା ଅନୁଯାୟୀ ଦୀର୍ଘ ୨୭ ବର୍ଷ ହେବ ବୃଦ୍ଧାଙ୍କୁ ଡାହାଣୀ ବୋଲି ସନ୍ଦେହ କରିବାରୁ ନିଜକୁ ସେ ଘୃଣା କରିଥିଲେ । ଏହାପରେ ଦୂରେଇ ଯାଇଥିଲେ ସମାଜଠାରୁ । ସେବେଠାରୁ ଗାଁଠୁ ଦେଢ଼ କିମି ଏକ ଜଙ୍ଗଲରେ କୁଡ଼ିଆ ଘରେ ଏକୁଟିଆ ରହି ଆସୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । କାହାରି ସାହାରା ନେବାକୁ ଇଛା କରିନଥିଲେ । ଯେଉଁଠାରେ ରହୁଥିଲେ ସେ ଜାଗାକୁ ରାସ୍ତା ନାହିଁ, ପିଇବା ପାଣି ସୁବିଧା ନାହିଁ ଓ ଜନସାଧାରଣଙ୍କ ଯିବା ଆସିବା ମଧ୍ୟ ହୁଏ ନାହିଁ । ୧ ବର୍ଷ ହେବ ବୃଦ୍ଧାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି ଏବଂ ଦୀର୍ଘ ୨୦ ବର୍ଷ ହେବ ନିଜ ପୁଅ କେଉଁ ଆଡେ଼ ଚାଲିଛି ଆଜି ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ନାହିଁ । ନାତି ମାନେ ଅଲଗା ରହୁଛନ୍ତି । ସରକାରୀ ଯୋଜନା କହିଲେ କେବଳ ଭତ୍ତା ଆକାରେ ୭୦୦ଟଙ୍କା, ରାସନ ଚାଉଳ ଓ ଆବାସ ଯୋଜନା । ଏହି ଦୟନୀୟ ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ଭଲ ମନ୍ଦ ବୁଝି ପାଟଣାଗଡ଼ ବିଡ଼ିଓଙ୍କ ଠାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ବିଡିଓ ବିଏସଏସଓଙ୍କୁ ପଠାଇଥିଲେ ବୃଦ୍ଧାଙ୍କୁ ଉଦ୍ଧାର କରି ବଲାଙ୍ଗୀର ସାଲେପାଲି ଦେଓଗାଁ ସ୍ଥିତ ବୃଦ୍ଧା ଆଶ୍ରମରେ ଥଇଥାନ କରିବା ଉଦେ୍ଧଶ୍ୟରେ । କିନ୍ତୁ ବୃଦ୍ଧା ମହିଳା ଜଣକ ଆଶ୍ରମକୁ ଯିବା ପାଇଁ ମନା କରିଦେଇଥିଲେ । ଉଦ୍ଧାର ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ପରେ ଗାଁରେ ଥିବା ନିଜ ପୁଅବୋହୁଙ୍କୁ ବୁଝାଇ ନିଜ ପାଖରେ ରଖିବାକୁ ଅନୁରୋଧ କରିଥିଲେ । ବୋହୁ ସେବା ଚାରିଟେବୁଲ ଟ୍ରଷ୍ଟର ଅନୁରୋଧ ବୃଦ୍ଧ ଶାଶୁଙ୍କୁ ନିଜ ପାଖରେ ରଖିବା ପାଇଁ ରାଜି ହୋଇଥିଲେ । ବୃଦ୍ଧା ମହିଳାଙ୍କୁ ତାଙ୍କ ଘରେ ରହିବାକୁ ପରିବାର ତଥା ଗାଁର ଭଦ୍ରବ୍ୟକ୍ତି ରାଜି କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ମାନିନଥିଲେ କିନ୍ତୁ ସେବା ଚାରିଟେବୁଲ କଥାରେ ସେ ଗାଁରେ ରହିବା ପାଇଁ ରାଜି ହୋଇଥିଲେ । ଏହି ସମୟରେ ସେବା ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଶ୍ରୀ ଗିରିରାଜ ଭୋଇ, ସଦସ୍ୟା ଏଡ଼ଭୋକେଟ ସେବୀକା ରାଜହଂସ, ଗୀତାଞ୍ଜଳି ବୁଡେକ, ବାସନ୍ତୀ ବିଶ୍ୱାଳ, ମେଘ ବର୍ଗେ ଓ ପାଟଣାଗଡ଼ ବିଏସଏସ କମଳ କାନ୍ତ ବାରିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published.