ଦାଦନ ଶ୍ରମିକ ଉଦ୍ଧାର; ସର୍ଦାର ଫେରାର, ଅଟୋ ଚାଳକ ଗିରଫ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଏଏସଆଇ ସେୱାନ କେରକେଟା ତାଙ୍କ ଟିମ ସହିତ ଖପ୍ରାଖୋଲରୁ କନ୍ଦେନଝୁଲା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେମାନଙ୍କୁ କନ୍ଦେନଝୁଲା ଛକଠାରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣା ଯାଇଥିଲା । ତାଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ସେମାନେ ଦାଦନ ଖଟିବାକୁ ବାହାରକୁ ଚାଲାଣ ହେଉଥିଲେ । ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗ୍ରାମର ୮ ଜଣ ପୁରୁଷ ଓ ମହିଳା ସମେତ ୪ ଜଣ ଶିଶୁ ରହିଥିବାବେଳେ ଏମାନଙ୍କୁ କଣ୍ଟାବାଞ୍ଜିରେ ରହୁଥିବା ଶ୍ରମିକ ଦଲାଲ ଅମରେନ୍ଦ୍ର କୁମାର ବାଗ ଏବଂ କନ୍ଦେନଝୁଲା ଗ୍ରାମର ଦାଦନ ସର୍ଦ୍ଧାର ଗୋପ ରାୟ ବିଜୟନଗରମ କୁ ପଠାଉଥିବା ଜଣାପଡ଼ିଥିଲା । କିନ୍ତୁ ଦୁଇ ଜଣ ଅଭିଯୁକ୍ତ ପୋଲିସ ହାତରେ ଧରାପଡି ନାହାନ୍ତି । ପୋଲିସ ଦୁଇ ଅଟୋ ଡ୍ରାଇଭର ବିରଞ୍ଚି ବାଗ ଓ ପୂର୍ଣ୍ଣ ବଗର୍ତ୍ତୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ କେସ୍‌ ଇନଚାର୍ଜ ଅଧିକାରୀ ଏଏସଆଇ ନାରାୟଣ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.