ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବଡମ୍ବା, (ନାଗରାଜ ନ୍ୟୁଜ ): ବାଇକ ରଖିବାକୁ କେନ୍ଦ୍ରକରି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମୁଗଗହିର ଗ୍ରାମରେ ଗୋଟେ ପରିବାରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ମୁଗଗହିର ଗ୍ରାମର ଦିଲିଆ ଓରଫ ସୁନୀଲ କୁମାର ଖଟୁଆ । ମୁଖ୍ୟ ଅଭିଯୁକ୍ତ ଚରଣ ରାଉତଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପିତା କୈଲାଶ ଖଟୁଆ ବଡମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ଗ୍ରାମର ଶତାଧିକ ଲୋକ ବଡମ୍ବା ଥାନାରେ ରୁଣ୍ଡ ହୋଇ ତୁରନ୍ତ ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ପୀଡିତ ପରିବାରକୁ ନ୍ୟାୟ ଦାବି କରିଥିଲେ । ଅପରାହ୍ନ ପର୍ୟ୍ୟନ୍ତ ପୁଲିସ ଠାରୁ କୌଣସି ସନ୍ତୋସ ଜନକ କାର୍ୟ୍ୟାନୁଷ୍ଠାନ ନ ମିଳିବାରୁ ମୃତ ଦେହକୁ ରଖି ଶତାଧିକ ଗ୍ରାମବାସୀ ଟାୟାର ଜାଳି ବଡମ୍ବା ଥାନା ମୁଖ୍ୟ ରାସ୍ତାରେ ଧାରଣା ଦେଇଥିଲେ । ଖବର ପାଇ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ବଡମ୍ବା ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ପ୍ରମୁଖ ସ୍ଥାନୀୟ ନେତୃବର୍ଗଙ୍କ ସହିତ ଧାରଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହେବ ସହିତ ଶବ ସତ୍କାର ଲାଗି ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

Leave a Reply

Your email address will not be published.