ଅଡୁଆରେ କଙ୍ଗନା, ସୋଶାଲ ମିଡିଆ ପୋଷ୍ଟକୁ ସେନ୍ସର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡର ପଙ୍ଗା କୁଇନ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ପ୍ରତିଥର ବିବାଦୀୟ ମନ୍ତବ୍ୟ ପାଇଁ ଜନ ଅସନ୍ତୋଷର ଶିକାର ହୋଇଥାନ୍ତି କଙ୍ଗନା । କିନ୍ତୁ ଏଥର ଅଭିନେତ୍ରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ଯେଉଁଥିରେ ଭବିଷ୍ୟତରେ ତାଙ୍କର ପ୍ରତ୍ୟେକ ସୋଶାଲ ମିଡିଆ ପୋଷ୍ଟକୁ ସେନ୍ସର କରିବାକୁ ଦାବି କରାଯାଇଛି । ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ଆବେଦନ କରାଯାଇଥିବା ଜଣାଯାଇଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ କଙ୍ଗନାଙ୍କ ପ୍ରତିକ୍ରିୟା ଆସିଛି । କଙ୍ଗନା ଇନଷ୍ଟାଗ୍ରାମରେ ଲେଖିଛନ୍ତିଯେ, ହା ହା, ମୁଁ ବୋଧେ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା । ତେବେ କିଏ ଏହି ଆବେଦନ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ନିକଟରେ କଙ୍ଗନା ଭଥୀଣ୍ଡାର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । କଙ୍ଗନା ନିଜେ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି କଥା ସେୟାର କରିଛନ୍ତି । କଙ୍ଗନା କହିଛନ୍ତି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରି ଏକ ପୋଷ୍ଟ ଲେଖିବା ପରେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଉଛି । କେବଳ ଏତିକି ନୁହେଁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିବେଦନ କରି ଲେଖିଛନ୍ତିଯେ, ଆପଣ ମଧ୍ୟ ଜଣେ ମହିଳା, ଆପଣଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଆତଙ୍କବାଦ ବିରୋଧରେ ଦୃଢ ଭାବରେ ଲଢ଼ିଥିଲେ । ଆତଙ୍କବାଦୀ, ବିଶୃଙ୍ଖଳାକାରୀ ତଥା ଜାତୀୟ ବିରୋଧୀ ବାହିନୀର ଧମକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଦୟାକରି ନିର୍ଦ୍ଦେଶ ଦିଅନ୍ତୁ । ତେବେ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦ୍ଭାବ କମିଟି ଅଭିନେତ୍ରୀ କଙ୍ଗନାଙ୍କୁ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିବା ପୋଷ୍ଟକୁ ନେଇ ଡିସେମ୍ବର ୬ ରେ ଡକାଇଛି।

 

Leave a Reply

Your email address will not be published.