ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ଏବେ ଫୁଲିବ ମହାନଦୀ

ସମ୍ୱଲପୁର: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ବଢ଼ିଛି ହୀରାକୁଦର ଜଳସ୍ତର। ଏବେ ହୀରାକୁଦରେ ଯେତିକି ପାଣି ନିଷ୍କାସିତ ହେଉଛି ତାଠୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳ ଭଣ୍ଡାରରେ ପ୍ରବେଶ କରୁଛି ୫ ଲକ୍ଷ ୨୪ ହଜାର ୨୮୧ ଘନଫୁଟ୍। ତେବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ୍। ଏବେ ହୀରାକୁଦରେ ମୋଟ୍ ୧୬ଟି ଗେଟ୍ ଖୋଲାଯାଇଛି।

ଏବେ ମୋଟ ୧୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୧.୫୬ ଫୁଟ। ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବା ଆଶଙ୍କା ରହିଛି।ହୀରାକୁଦ ତଳ ମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି। ବରମୂଳରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ କ୍ୟୁସେକ ପ୍ରବାହିତ ହୋଇଛି। ହୀରାକୁଦ ପାଣି ତଳ ମୁଣ୍ଡରେ ମିଶିଲେ, ମହାନଦୀ ଫୁଲିବା ଆଶଙ୍କା ହୋଇଛି।

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୩ ବଡ଼ ନଦୀ ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ବୈତରଣୀ ନଦୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ଥିବାବେଳେ ଦିନ ୧୨ଟା ସୁଦ୍ଧା ୪୦.୦୯ ଫୁଟ ଉପରେ ଜଳସ୍ତର ରହିଛି।

ଆଖୁଆପଦାରେ ବିପଦ ସଂକେତ ୧୭.୮୩ ଥିବାବେଳେ ଦିନ ୧୨ଟା ସୁଦ୍ଧା ୧୯.୯୦ ଉପରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୫ ନମ୍ବର ଜାତୀୟ ରାଜପଥରେ ବିପଦ ସଂକେତ ଉପରେ ରହିଛି। ସେହିପରି ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୫ ଥିବାବେଳେ ଏବେ ଜଳସ୍ତର ରହିଛି ୫୦.୮। ମଥାନି ଠାରେ ଜଳକା ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନିରେ ବିପଦ ସଂକେତ ୫.୫୦ ରହିଛି, କିନ୍ତୁ ୬.୯୮ ଫୁଟରେ ପାଣି ପ୍ରବାହିତ ହେଉଛି।

Leave a Reply

Your email address will not be published.