ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ପ୍ରାୟ ୧ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ଵର,୭।୯ (ଏନ୍‌ ନ୍ୟୁଜ୍‌)

ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ହେଲମେଟ ପିନ୍ଧା ଲୁଟେରା ଏକ ବ୍ୟାଙ୍କରୁ ପ୍ରାୟ ୧  ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।ଇନଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ସୋମବାର ମଧ୍ୟାହ୍ନରେ ୨ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଥିଲେ ।

ଏହି ସମୟରେ ଜଣେ ହେଲମେଟ ପିନ୍ଧା ଯୁବକ ବ୍ୟାଙ୍କରେ ପ୍ରବେଶ କରିଥିଲା । ଯୁବକଟି ପିସ୍ତଲ ଦେଖାଇ ଦୁଇ କର୍ମଚାରୀଙ୍କୁ ହାତ ଟେକି ଛିଡ଼ା ହେବାକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ସେ କ୍ୟାସ୍ କାଉଣ୍ଟରରେ ଥିବା ସମସ୍ତ ଟଙ୍କା ଧରି ଚମ୍ପଟ ମାରିଥିଲା ।

ଅଭିଯୋଗ ମିଳିବା ପରେ ଇନଫୋସିଟି ଥାନା ପୁଲିସ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା ସହ ତଦନ୍ତ କରୁଛି । ଲୁଟେରା ଧରିଥିବା ପିସ୍ତଲଟି ଏକ ଖେଳଣା ପିସ୍ତଲ ହୋଇ ଥାଇପାରେ ବୋଲି ସିସିଟିଭି ଫୁଟେଜ ଦେଖିବା ପରେ ପୁଲିସ କହିଛି । ଉଲ୍ଲେଖଯୋଗ୍ୟ, ନିର୍ଜନ ସ୍ଥାନରେ ଅବସ୍ଥିତ ଏହି ବ୍ୟାଙ୍କଟିରେ ଘଟଣା ସମୟରେ କୌଣସି ସିକ୍ୟୁରିଟି ଗାର୍ଡ ନଥିଲେ ।

Leave a Reply

Your email address will not be published.