୨୬ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍

ନୂଆଦିଲ୍ଲୀ: ୨୬ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟସ୍ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫.୩୦ରେ ବାତ୍ୟାର ରୂପ ନେଇଛି। ବାତ୍ୟା ୟାସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାପରେ ଅତି ଭୀଷଣ ବାତ୍ୟାର ରୂପ ନେବ ।

ଏବେ ଏହା ପୂର୍ବଭଳି ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱର ଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ୟାସ୍ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା ୨୪ ଘଣ୍ଟା ପରେ ଭୀଷଣ ବାତ୍ୟାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ଏହି ସମୟରେ ଏହା ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ୟାସ ଓଡ଼ିଶାର ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଲ୍ୟାଣ୍ଡଫଲ ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗର ସୂଚନା ଅନୁଯାୟୀ, ଅତି ଭୀଷଣ ବାତ୍ୟା ୟାସ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ରହିଛି। ପୂର୍ବରୁ ଏହା ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଇଥିଲା। ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବାକୁ ଥିଲେ ହେଁ ଏହାର ପ୍ରଭାବ ବିଳମ୍ବିତ ସନ୍ଧ୍ୟା ଯାଏ ଦେଖିବାକୁ ମିଳିବ।

ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଅତି ପ୍ରବଳ ବର୍ଷା ହେବ। ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ଆହୁରି କହିଛି ଯେ ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅଳ୍ପ କେତେକ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ।
ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କମିଯିବ। କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ଯାହା ସେଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ। ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ।

Leave a Reply

Your email address will not be published.