ଡକାୟତଙ୍କ ମାରଣାନ୍ତକ
ଆକ୍ରମଣରେ ଔଷଧ ବ୍ୟବସାୟୀ ଗୁରୁତ୍ତର । ଜଣେ ଡକାୟତକୁ କାବୁ କଲେ ଗ୍ରାମବାସୀ ।

ବାଲେଶ୍ବର,୨୫/୧୧–ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଡକାୟତି ମାନଙ୍କର ପ୍ରାଦୁର୍ଭାବ ବଢିଚାଲି ଥିବାର ନଜରକୁ ଆସୁଛି । ପ୍ରଶାସନ ଯେତେ ସଜାଗ ହେଲେବି କର୍ମଚାରୀ ଅଭାବରୁ ଘଟଣା ଦୁର୍ଘଟଣାକୁ ରୋକିପାରୁ ନାହିଁ । ଯାହାର ପରିଣାମ ଲୋକମାନଙ୍କୁ ଭୋଗିବାକୁ ପଡୁଛି । ଗତକାଲି ରାତିରେ ଏପରି ଏକ ଘଟଣା ଘଟିଯାଇଥିବାର ପରିଲକ୍ଷିତ ହୋଇଛି । ଘଟଣାରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ସୋର ଥାନା କୋଚିଆ କୋଇଲି ଅଞ୍ଚଳର ନରେନ୍ଦ୍ର ଦାଶ ସୋର ପୌରପାଳିକା କାର୍ଯ୍ୟାଳୟ ଆଗରେ ଆୟୁର୍ବେଦିକ ଔଷଧ ଦୋକାନ କରନ୍ତି । ସବୁଦିନ ପରି ସନ୍ଧ୍ୟାରେ ଦୋକାନ ବନ୍ଦ କରି ନିଜ ଘର କୋଚିଆ କୋଇଲିକୁ ଫେରୁଥିବା ବେଳେ କୋଚିଆ କୋଇଲି ପଡିଆ ନିକଟରେ ଏକ ପଲ୍ସର ବାଇକରେ ୩ ଜଣ ଯୁବକ ଆସି ନରେନ୍ଦ୍ରଙ୍କୁ ପ୍ରଥମେ ଅଟକାଇ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ, ମାତ୍ର ନରେନ୍ଦ୍ର ଟଙ୍କା ନଦେବାରୁ ଏକ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ପରେ ଆକ୍ରମଣ କରିଥିଲେ । ନରେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦଉଡି ଆସିବାରୁ ଡକାୟତ ମାନେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଜଣକୁ କାବୁ କରି ନେଇଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ କାବୁ କରିଥିବା ଲୋକକୁ ଥାନାକୁ ଆଣିବା ସହିତ ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଗ୍ରାମବାସୀମାନେ ଚିକିତ୍ସା ନିମନ୍ତେ ସୋର ଡାକ୍ତର ଖାନାକୁ ଆଣିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.