ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ରୀୟ ଫୋର୍ସ ପାଇଁ ଓଡ଼ିଶା ଠାରୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ୪୫୬୧.୨୩ କୋଟି ଟଙ୍କା ଦାବି କରିଛି । ତେବେ ଏହାକୁ ଛାଡ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ମର୍ମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୦ ଅକ୍ଟୋବର ୧ ତାରିଖ ସୁଦ୍ଧା ଓଡ଼ିଶାରେ କେନ୍ଦ୍ରୀୟ ଫୋର୍ସ ନିୟୋଜନ ବାବଦରେ ଓଡ଼ିଶା ସରକାରଙ୍କ ଠାରୁ ୪୫୬୧.୨୩ କୋଟି ଟଙ୍କା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦାବି କରିଛି । ଗତ ୨ଠ୧୫ ମସିହା ଜୁନ୍ ୧ଠ ତାରିଖରେ କେନ୍ଦ୍ରୀୟ ଫୋର୍ସ ନିୟୋଜନ ଲାଗି ରାଜ୍ୟ ସରକାରଙ୍କ ଉପରେ ଦାବି କରାଯାଉଥିବା ଅର୍ଥ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଓଡ଼ିଶା ଅନୁରୋଧ କରିଥିଲା । ତେବେ ତକ୍ରାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ, କେନ୍ଦ୍ର୍ରର ପ୍ରଚଳିତ ନୀତିରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ସ୍ୱତନ୍ତ୍ର ମାନ୍ୟତାପ୍ରାପ୍ତ ରାଜ୍ୟ ଯଥା ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ ଆଦିକୁ ଛାଡ଼ି ଅନ୍ୟମାନେ ଏହି ଭାର ବହନ କରନ୍ତି । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି ୨୦୧୫ରେ ତକ୍ରାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଜଣାଇଥିଲେ ।
ଏହି ପରିପ୍ରେକ୍ଷୀରେ ନକ୍ସଲ ହିଂସା ସମସ୍ୟା ଦେଶର ବହୁ ଅଞ୍ଚଳକୁ ବିସ୍ତାରିତ ହୋଇଥିବା କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ହେଉଛି ଏକ ଜାତୀୟ ସମସ୍ୟା । ଜାତିର ସଂହତିର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଏହା ଏକ ଆହ୍ୱାନ ସୃଷ୍ଟି କରିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ଆହ୍ୱାନର ମୁକାବିଲା କରିବାର ଆବଶ୍ୟକତା ରହିଛି । ତେବେ ଓଡ଼ିଶା ସରକାର ସୀମିତ ସମ୍ବଳକୁ ବିନିଯୋଗ କରି ସୁରକ୍ଷା ବଳ ସୃଷ୍ଟି କରିବା ସହ ନିୟୋଜିତ କରୁଛନ୍ତି । ରାଜ୍ୟ ପୁଲିସ୍ର ପାଖାପାଖି ୧୫ ବାଟାଲିଅନ୍ ସୃଷ୍ଟି କରାଯାଇଛି । ପୁଲିସ୍ କ୍ୟାଡରରେ ୩ଠ ହଜାର ପଦବୀ ମଧ୍ୟ ସୃଷ୍ଟି ହୋଇଛି । ବାମପନ୍ଥୀ ଉଗ୍ରବାଦ ସମସ୍ୟାକୁ ଏକ ମିଳିତ ଦାୟିତ୍ୱ ଭାବେ ବିଚାର କରି ରାଜ୍ୟ ସରକାର ଏହାର ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି । ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ କେନ୍ଦ୍ରୀୟ ଫୋର୍ସ ବାବଦ ଅର୍ଥ ଦାବି କରିବା ବେଳେ ଓଡ଼ିଶା ଭଳି ରାଜ୍ୟକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ନବୀନ ଲେଖିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ କେନ୍ଦ୍ର ଫୋର୍ସ ନିୟୋଜନ ବାବଦ ଖର୍ଚ୍ଚକୁ ଛାଡ଼ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ନିଦେ୍ର୍ଦଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published.