କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେବନି: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଓଡ଼ିଶାରେ ୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ପୁଣି ଥରେ ଲକ୍‌ଡାଉନ୍ ହୋଇପାରେ ବୋଲି ଆଶଙ୍କା ମଧ୍ୟ ରହିଛି । ହେଲେ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ମାତ୍ରାରେ ପ୍ରଭାବିତ ହେଉଛି । ମାତ୍ର ସାମ୍ଭାବ୍ୟ ତୃତୀୟ ଲହର ସମୟର କରୋନା କଟକଣାରେ ମଧ୍ୟରେ ପିଲାଙ୍କ ପାଠପଢାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେବନି । ଏହା ସହିତ ମାଟ୍ରିକ୍ ସମଟେିଭ୍ ପରୀକ୍ଷାକୁ ନେଇ ଅବିଭାବକଙ୍କ ମନରେ ଯେଉଁ ଆଶଙ୍କା ଦେଖାଦେଉଛି ତାକୁ ଦୂର କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନିଶ୍ଚିତ ହେବ । ଆସନ୍ତା ଜାନୁଆରୀ ୫ରେ ହେବାକୁ ଯାଉଛି ମାଟ୍ରିକ୍ ସମେଟିଭ୍ ପରୀକ୍ଷା ।

ତେବେ ବୋର୍ଡ ପରୀକ୍ଷା ପୂର୍ବରୁ ଏହା ନିହାତି ଆବଶ୍ୟକ । ଆଗକୁ ତୃତୀୟ ଲହରର ପିକ୍ ସମୟରେ ଯଦି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ନହୋଇପାରେ ତେବେ ଏହି ଆସେସ୍‌ମେଣ୍ଟ ମାର୍କ ବହୁତ କାମରେ ଲାଗିବ ବୋଲି କହିଛନ୍ତି ସମୀର ଦାସ । ଅନ୍ୟପଟେ ସ୍କୁଲ ଗୁଡିକୁ ଆଗରୁ ଆଲର୍ଟ ଜାରି କରାଯାଇଛି । ଡିଇଓ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ସହିତ ପୁରା ସ୍ଥିତି ଉପରେ ନୋଡାଲ ଅଫିସର ନଜର ରଖିଛନ୍ତି । ଏହା ଛଡା ସ୍କୁଲ ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଗାଇଡଲାଇନ୍ କୁ କଡାକଡି ଭାବରେ ପାଳନ କରାଯାଉଛି ବୋଲି ଆଜି ସୂଚନା ଦେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

Leave a Reply

Your email address will not be published.