ରାଜଧାନୀରେ ଭୟ ସୃଷ୍ଟି କଲାଣି ଡେଙ୍ଗୁ

ଭୁବନେଶ୍ବର : ରାଜଧାନୀରେ ଭୟ ସୃଷ୍ଟି କଲାଣି ଡେଙ୍ଗୁ । ସବୁ ଅଞ୍ଚଳରୁ ଏବେ ଡେଙ୍ଗୁ ରୋଗୀ ଚିହ୍ନଟ ‌ହେଉଛନ୍ତି । କିନ୍ତୁ ବିଏମ୍‌ସି ପାଖରେ ଏନେଇ ସବିଶେଷ ତଥ୍ୟ ନାହିଁ। ରାଜ୍ୟରେ ଗୋଟେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ନଥିବାବେଳେ ଅନ୍ୟପଟେ ଡେଙ୍ଗୁ ରୋଗି ସଂଖ୍ୟା ବଢ଼ିବା ଯାହା ସମସ୍ତଙ୍କ ପାଇ ଚିନ୍ତାର କାରଣ ପାଲଟିଛି ।

ଏବେ ଶୈଳଶ୍ରୀ ବିହାର, କଳ୍ପନା, ନୀଳାଦ୍ରିବିହାର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳ, ଚିନ୍ତାମଣିଶ୍ବର ଡେଙ୍ଗୁର ହଟ୍‌ସ୍ପଟ୍ ପାଲଟିଛି । ସରକାରୀ ହିସାବ ଅନୁଯାୟୀ ଏହି ଅଞ୍ଚଳରୁ ପ୍ରାୟ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏଠାରେ ଏବେ ଗଳି ଗଳିରେ ଡେଙ୍ଗୁ ଆକ୍ରାନ୍ତ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତିଦିନ ସେମାନଙ୍କ ଅଞ୍ଚଳରୁ ୧୦ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ବରରେ କେବଳ ସରକାରୀ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ୱାର୍ଡ ହୋଇଥିବାରୁ ଆକ୍ରାନ୍ତ ଏବେ ଘରୋଇ ହସ୍ପିଟାଲ ମୁହାଁ ହେଉଛନ୍ତି। ଏପରିକି ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲରେ ଏବେ ପୁଳାପୁଳା ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି।

ଡେଙ୍ଗୁ ପ୍ରବଣ ରାଜଧାନୀରେ ପ୍ରତିବର୍ଷ ଏହି ସମୟରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ବିଏମ୍‌ସି ଏଥର ସ୍ପେସାଲ ଡ୍ରାଇଭ୍ କରିବା ଭୁଲି ଯାଇଛି । ଯାହାର ଫଳ ରାଜଧାନୀବାସୀ ଭୋଗୁଛନ୍ତି । ଯେଉଁ ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ହୁଏ, ତାହା ପରିଷ୍କାର ସ୍ଥିର ପାଣିରେ ଡିମ୍ବ ଦେଇଥାଏ । ଏହି ପରିଷ୍କାର ସ୍ଥିର ପାଣି ଏବେ ରାସ୍ତାଘାଟରୁ ଆରମ୍ଭ କରି ଘରେ ଘରେ ଜମା ହୋଇଥିଲେ ହେଁ ଏ ନେଇ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ ହେଉନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ନା ଲୋକ ସଚେତନ ହେଉଛନ୍ତି ନା ବିଏମ୍‌ସି ‌କିଛି ଆଖିଦୃଶିଆ ପଦକ୍ଷେପ ନେଉଛି । କେବଳ ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ସଚେତନତା ଓ ପ୍ରତି‌ଷେଧକ ବ୍ୟବସ୍ଥା ହେଉଥିବାରୁ ପ୍ରତିଦିନ ନୂଆନୂଆ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି‌ ।

Leave a Reply

Your email address will not be published.